ପୁରୀରେ ଆୟୋଜିତ ହେଲା ବିଶ୍ୱର ସର୍ବବୃହତ୍‌ ଉପକୂଳ ସଫେଇ ଅଭିଯାନ, ବଲିଉଡ୍‌ ଅଭିନେତା-ଅଭିନେତ୍ରୀଙ୍କ ସହ ସାମିଲ୍‌ ହେଲେ ପ୍ରାୟ ୨୦ ହଜାର ଲୋକ

ପୁରୀ: ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ଶନିବାର ଓଡ଼ିଶାର ପୁରୀ ସମୁଦ୍ରକୂଳରେ ମେଗା ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି। ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଳାଭୂମିରେ ପ୍ରାୟ ୨୦ ହଜାର ଲୋକ ଏକାଠି ହୋଇଥିଲେ। ଏହି ସଫେଇ ଅଭିଯାନରେ ଶିକ୍ଷକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ମତ୍ସ୍ୟଜୀବୀ, ହୋଟେଲ୍‌ ମାଲିକ, ଫଟୋଗ୍ରାଫର୍‌, ଟୁରିଷ୍ଟ୍‍ ଗାଇଡ୍‌, ଜଗନ୍ନାଥ ମନ୍ଦିରର ସେବାୟତ ଓ ସରକାରୀ କର୍ମଚାରୀମାନେ ସାମିଲ୍‌ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମିରେ ସେମାନଙ୍କ ନାମ ଲେଖାଇ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ ଓ ପରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହା ହେଉଛି ବିଶ୍ୱର ସର୍ବବୃହତ୍‌ ସଫେଇ ଅଭିଯାନ। ଏହି ଅଭିଯାନ ଜରିଆରେ ବେଳାଭୂମି ସଫା ରଖିବାର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବଲିଉଡ୍‌ ଅଭିନେତା ବିଦ୍ୟୁତ୍‌ ଜମଓ୍ଵାଲ୍‌, ଅଭିନେତ୍ରୀ ତଥା ସୁପରିଚିତା ଲେଖିକା ନନ୍ଦିତା ଦାସ ଏହି ଅଭିଯାନରେ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ନିଜକୁ ସାମିଲ୍‌ କରିଥିଲେ।

ଏ ସଂପର୍କରେ ନିଜର ମତ ରଖି ଅଭିନେତା ଜମଓ୍ଵାଲ କହିଛନ୍ତି,‘ ପୁରୀ ମୋ ଦେଶର ଗର୍ବ। ବିଶ୍ୱର ମେଗା ବେଳାଭୂମି ସଫେଇ ଅଭିଯାନରେ ନିଜକୁ ସାମିଲ୍‌ କରିପାରିଥିବାରୁ ମୁଁ ଅନେକ ଖୁସି।’

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଟ୍ଵିଟର୍‌ ପେଜ୍‌ରେ ସଫେଇ ଅଭିଯାନର ଫଟୋ ଛାଡ଼ିବା ସହ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ‘ହଜାର ହଜାର ଲୋକ ଏପରି ଏକ ଅଭିଯାନରେ ନିଜକୁ ସାମିଲ୍‌ କରିବାକୁ ଧାଇଁ ଆସିଥିବାରୁ ଏହା ଏକ ବିଶେଷ ଦିନ।’

ଏହି ଦୁଇ ଘଣ୍ଟିଆ ଅଭିଯାନରେ ପୁରୀ ବେଳାଭୂମି ସହିତ ରାମଚଣ୍ଡୀ, କୋଣାର୍କ, ଅସ୍ତରଙ୍ଗ ଆଦି ସମୁଦାୟ ୧୦୦ଟି ସ୍ଥାନରେ ଏହି ସଫେଇ କରାଯାଇଥିବା ସୂଚନା ରହିଛି। ଚାରି ମାସ ତଳେ ହୋଇଥିବା ‘ସାଇକ୍ଲୋନ୍‌ ଫନି’ରେ ନଷ୍ଟ ହୋଇ ଯାଇଥିବା ପୁରୀର ସୌନ୍ଦର୍ଯ୍ୟକୁ ପୁଣି ଥରେ ଫେରାଇ ଆଣିବାର ଏହା ଏକ ପ୍ରୟାସ ବୋଲି କୁହାଯାଇପାରେ।

ପୂର୍ବରୁ ୨୦୧୬ ମସିହାରେ ମୁମ୍ବାଇର ଭରସୋବା ଉପକୂଳରେ ଏପରି ମେଗା ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ସାଧାରଣ ଲୋକଙ୍କଠାରୁ ନେଇ ସେଲିବ୍ରେଟି ପର୍ଯ୍ୟନ୍ତ ପ୍ରାୟ ୨ ହଜାର ଲୋକ ଏହି ଅଭିଯାନରେ ନିଜକୁ ସାମିଲ୍‌ କରିଥିଲେ।

ସମ୍ବନ୍ଧିତ ଖବର