‘ଉହାନ୍‌ ଭୂତାଣୁ’ ଭୟ: ଦେଶର ୭ଟି ବିମାନ ବନ୍ଦରରେ ଲାଗିବ ‘ଥର୍ମୋ ସ୍କାନିଂ’; ଚୀନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ହେବ ‘ଥର୍ମାଲ ସ୍କ୍ରିନିଂ’

ନୂଆଦିଲ୍ଲୀ: ସଂପ୍ରତି ପଡ଼ୋଶୀ ଚୀନ୍‌ରେ ଦେଖା ଦେଇଥିବା ‘ଉହାନ୍‌ ଭୂତାଣୁ’ ଚୀନ୍‌ରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ଗତ ୩ ଦିନ ମଧ୍ୟରେ ଚୀନ୍‌ରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ୩୦୦ରୁ ଅଧିକ ଆକ୍ରାନ୍ତ ହେବା ପରେ ଏବେ ‘ଉହାନ୍‌ ଭୂତାଣୁ’କୁ ନେଇ ଭାରତରେ ମଧ୍ୟ ଭୟ ସୃଷ୍ଟି ହୋଇଛି।

ଏପରିସ୍ଥିତିରେ ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦେଶର ୭ଟି ବିମାନ ବନ୍ଦରକୁ ନିର୍ଦ୍ଦେଶନାମା ଜାରି କରି ଯୁଦ୍ଧକାଳୀନ ଭିତ୍ତିରେ ‘ଥର୍ମୋ ସ୍କାନିଂ’ ଓ ‘ଥର୍ମାଲ ସ୍କ୍ରିନିଂ’ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନ ବନ୍ଦରରେ ଏହି ‘ଥର୍ମୋ ସ୍କାନିଂ’ ଓ ‘ଥର୍ମାଲ ସ୍କ୍ରିନିଂ’ର ପ୍ରତିଷ୍ଠା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିନ୍‌ ବିମାନ ବନ୍ଦରରେ ଏହି ‘ଥର୍ମୋ ସ୍କାନିଂ’ ଓ ‘ଥର୍ମାଲ ସ୍କ୍ରିନିଂ’ ବ୍ୟବସ୍ଥାର ପ୍ରତିଷ୍ଠା ପାଇଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।

‘ଉହାନ୍‌ ଭାଇରସ୍‌’ ଅନ୍ୟ ଏସୀୟ ରାଷ୍ଟ୍ର ଥାଇଲାଣ୍ଡ, ଜାପାନ ଓ ଦକ୍ଷିଣ କୋରିଆକୁ ବ୍ୟାପିବାର ସମ୍ଭାବନା ରହିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) ପକ୍ଷରୁ ଆଶଙ୍କା ପ୍ରକଟ କରାଯିବା ପରେ ଭାରତ ଏବେଠାରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରି ଦେଇଛି। ଚୀନ୍‌ରୁ ଦେଶକୁ ଆସୁଥିବା ଯାତ୍ରୀମାନଙ୍କର ଯାଞ୍ଚ ନିମନ୍ତେ ସ୍ୱତନ୍ତ୍ର ଡେସ୍କର ସ୍ଥାପନା ସହ ‘ଥର୍ମୋ ସ୍କାନିଂ’ ଓ ‘ଥର୍ମାଲ ସ୍କ୍ରିନିଂ’ ବିନା କୌଣସି ଯାତ୍ରୀଙ୍କୁ ବିମାନ ବନ୍ଦର ଭିତରୁ ବାହାରକୁ ନ ଛାଡ଼ିବା ପାଇଁ ଏହି ୭ଟି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର