ଚୀନ୍‌ ଗସ୍ତ କାଳରେ ମୋଦି ଅବସ୍ଥାନ କରିବେ ପର୍ଯ୍ୟଟନ ସହର ଉହାନ୍‌ରେ, ଶିଖର ବୈଠକ ପରେ ଇଷ୍ଟଲେକ୍‌ରେ ଜିନ୍‌ପିଙ୍ଗ୍‌ଙ୍କ ସହ କରିବେ ନୌକା ବିହାର

ବେଜିଂ (ଚୀନ୍‌): ଡୋକ୍‌ଲାମ୍‌କୁ କେନ୍ଦ୍ର କରି ଭାରତ ଓ ଚୀନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ତିକ୍ତତା ସଂପୂର୍ଣ୍ଣ ରୂପେ ପ୍ରଶମିତ ହୋଇ ନଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଠାରୁ ତାଙ୍କର ଦୁଇ ଦିନିଆ ଚୀନ୍‌ ଗସ୍ତ ଆରମ୍ଭ କରୁଛନ୍ତି। ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ପାଇଁ ଆଜିଠାରୁ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦ୍ରୀୟ ଚୀନ୍‌ରେ ଅବସ୍ଥିତ ପର୍ଯ୍ୟଟନ ସହର ଉହାନ। କାରଣ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଦୁଇ ଦିନିଆ ଚୀନ୍‌ ଗସ୍ତ କାଳରେ ଏହି ଉହାନ୍‌ ସହରରେ ହିଁ ଅବସ୍ଥାନ କରିବେ। ଏବଂ ଏହି ପର୍ଯ୍ୟଟନ ସହରର ଏକ ହ୍ରହ ଇଷ୍ଟଲେକ୍‌ କୂଳରେ ରହିଥିବା ଅଧ୍ୟକ୍ଷ ମାଓ ଜିଡଙ୍ଗଙ୍କର ବ୍ୟକ୍ତଗତ ଭିଲ୍ଲାରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହିତ ଆୟୋଜିତ ହେବାକୁ ଥିବା ଏକ ଅଣଆନୁଷ୍ଠାନିକ ଶିଖର ବୈଠକରେ ଏକତ୍ରୀତ ହୋଇ ଉଭୟ ଦେଶର ଦ୍ୱିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ଚୀନ୍‌ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆୟୋଜନ କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁ ସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ସମଗ୍ର ଉହାନ୍‌ ସହରକୁ ପୁଲିସ୍‌ ଛାଉଣିରେ ପରିଣତ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମୟିକ ଭାବେ ପର୍ଯ୍ୟଟକମାନଙ୍କ ପାଇଁ ଏହି ସହରକୁ ବନ୍ଦ କରି ଦିଆଯାଇଛି। ଏହି ଗସ୍ତ କାଳରେ ଦ୍ୱିପାକ୍ଷିକ ଆଲୋଚନା ପରେ ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଇଷ୍ଟଲେକ୍‌ ହ୍ରଦରେ ଏକାଠି ନୌକା ବିହାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚୀନ୍‌ର ପର୍ଯ୍ୟଟନ ସହର ଉହାନ୍‌ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଇଷ୍ଟଲେକ୍‌।

ସମ୍ବନ୍ଧିତ ଖବର