‘ବିପଦରେ ଗଣତନ୍ତ୍ର’: ଦଳ ଛାଡ଼ିଲେ ଯଶବନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା(୮୦) ଆଜି ଦଳ ଛାଡ଼ିଛନ୍ତି। ପାଟନାରେ ଆୟୋଜିତ ରାଷ୍ଟ୍ରମଞ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସିହ୍ନା ଏହି ଘୋଷଣା କରିଛନ୍ତି। ଦୀର୍ଘ ୪ବର୍ଷ ହେବ କେନ୍ଦ୍ରର ମୋଦି ସରକାର ପ୍ରତି ଅସନ୍ତୁଷ୍ଟ ଥିବାରୁ ଦଳର ଏହି ବରିଷ୍ଠ ନେତା ବିଜେପି ଛାଡିଥିବା ଜଣାପଡ଼ିଛି। ବିଜେପି ଛାଡ଼ିବା ସହିତ ସେ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେଇଥିବା କହିଛନ୍ତି। ଦେଶର ଗଣତନ୍ତ୍ର ଏବେ ବିପଦରେ ରହିଛି। ତେଣୁ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ସେ ଆଗକୁ ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି। ଉଲ୍ଳେଖଯୋଗ୍ୟ, ଯଶବନ୍ତଙ୍କ ପୁଅ ଜୟନ୍ତ ସିହ୍ନା ଏବେ ମୋଦି କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ଲଗାତାର ବିଷୋଦଗାର କରୁଥିବା ଯଶବନ୍ତ ନିକଟରେ କହିଥିଲେ ଯେ ସେ ନିଜ ଆଡ଼ୁ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଦେଶରେ ସରକାର ଗଢିବା ପରେ ଦଳର ବରିଷ୍ଠ ନେତାଙ୍କୁ କୋଣଠେସା କରି ଦିଆଯାଇଥିବା ସେ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ। ଲାଲକୃଷ୍ଣ ଆଡଭାନୀଙ୍କ ପରି ଦଳର ବରିଷ୍ଠ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରକ୍ଷା କରିନଥିବା ସେ କହିଥିଲେ। ନିକଟରେ ଦଳୀୟ ସାଂସଦଙ୍କ ନିକଟକୁ ପତ୍ର ଲେଖି ସେ ମୋଦି ସରକାରର ୪ବର୍ଷ ଶାସନ କାଳରେ ଦଳ କ’ଣ ପାଇଛି ଆଉ କ’ଣ ହରାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର