ୟେଦୁରପ୍ପାଙ୍କ ପାଖରେ ରହିଛି ୪ ଉପାୟ

ବେଙ୍ଗାଲୁରୁ: ବିଜେପି ପାଖରେ ୧୦୪ ବିଧାୟକ ଥିବା ବେଳେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଆଉ ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେବେ ବିରୋଧୀଙ୍କ ସମସ୍ତ ରଣନୀତି ସତ୍ତ୍ୱେ ବାଜିମାତ କରିବା ପାଇଁ ବିଜେପି ଓ ୟେଦୁରପ୍ପାଙ୍କ ପାଖରେ ୪ଟି ଉପାୟ ରହିଥିବା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ସେଗୁଡ଼ିକ ହେଲା: ବିଜେପିର ନିର୍ଦ୍ଦେଶାନୁସାର କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ଆସନ୍ତାକାଲି ଗୃହରେ ଅନୁପସ୍ଥିତ ରହିବେ। କଂଗ୍ରେସ ଓ ଜେଡିଏସ୍‌ର ୧୫ ଅସନ୍ତୁଷ୍ଟ ବିଧାୟକ ଦଳରୁ ଇସ୍ତଫା ଦେବେ ଏବଂ ଏହା ସମ୍ଭବ ହେଲେ ମୋଟ ବିଧାୟକଙ୍କ ସଂଖ୍ୟା ୨୦୮ ହେବ। ଫଳରେ ବିଜେପି ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ। କଂଗ୍ରେସ ପାଖରେ ୨୧ ଓ ଜେଡିଏସ୍‌ ପାଖରେ ୧୦ ଲିଙ୍ଗାୟତ ବିଧାୟକ ଅଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ମଧ୍ୟ ଲିଙ୍ଗାୟତ ହୋଇଥିବାରୁ ଉକ୍ତ ବିଧାୟକଙ୍କୁ ମନାଇବାରେ ସମର୍ଥ ହେଲେ, ବିଜେପି ଅତି ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ। କଂଗ୍ରେସ ଓ ଜେଡିଏସ୍‌ ନିକଟରେ ଥିବା ମୋଟ ବିଧାୟକଙ୍କର ଦୁଇ ତୃତୀୟାଂଶ ବିଧାୟକଙ୍କୁ ଅଲଗା କରିବାରେ ସମ୍ଭବ ହେଲେ, ଆସ୍ଥାଭୋଟରେ ୟେଦୁରପ୍ପା ବିଜୟୀ ହୋଇପାରିବେ। ଏଥିପାଇଁ କଂଗ୍ରେସର ୫୪ ଓ ଜେଡିଏସ ୨୬ ଜଣ ବିଧାୟକଙ୍କୁ ମନାଇବାକୁ ହେବ।

ସମ୍ବନ୍ଧିତ ଖବର