ସାଧୁଙ୍କ ପାଇଁ ପେନ୍‌ସନ୍‌ ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ, : ଲୋକସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଆ‌ଜି ଉତ୍ତରପ୍ରଦେଶରେ ଯୋଗୀ ସରକାର ସାଧୁମାନଙ୍କ ପାଇଁ ପେନ୍‌ସନ୍‌ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପେନସନ୍‌ ଯୋଜନା ଅଧୀନରେ ଏଣିକି ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ସାଧୁମାନଙ୍କୁ ପେନ୍‌ସନ୍‌ ମିଳିବ। ସାଧୁମାନେ ପେନ୍‌ସନ୍‌ ଯୋଜନାରେ ନିଜ ନାମ ପଞ୍ଜୀକରଣ କରିବାପାଇଁ ରାଜ୍ୟରେ ସ୍ବତନ୍ତ୍ର ଶିବିର ‌ଖୋଲାଯାଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ସାଧୁମାନେ ପେନ୍‌ସନ୍‌ ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଆଜି କହିଛନ୍ତି। ତେବେ ରାଜ୍ୟରେ ଏବେ କୁମ୍ଭମେଳା ଚାଲିଥିବାବେଳେ ୟୁପି ସରକାରଙ୍କର ସାଧୁମାନଙ୍କ ‌ପାଇଁ ପେନସନ୍‌ ଯୋଜନା ବେଶ୍‌ ଗୁରୁତ୍ବ ବହନ କରୁଛି। କିନ୍ତୁ ଯୋଗୀ ସରକାରଙ୍କ ଏହି ପେନସନ୍‌ ଯୋଜନାକୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିଛନ୍ତି। ସପା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଯୋଗୀ ସରକାର ହିନ୍ଦୁ ସାଧୁମାନଙ୍କୁ ଲୋଭାନ୍ବିତ କରିବାପାଇଁ ଏଭଳି ଘୋଷଣା କରିଛନ୍ତି। ଯୋଗୀ ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ରାମଲୀଳାରେ ରାମ, ସୀତା, ଲକ୍ଷ୍ମଣ ଏବଂ ଏପରିକି ରାବଣ ଚରିତ୍ରରେ ଅଭିୟନ କରୁଥିବା କଳାକାରମାନଙ୍କୁ ବି ପେନସନ୍‌ ଦିଆଯିବା ଦରକାର।

କୁମ୍ଭରେ ସାଧୁଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ଲକ୍ଷ୍ନୌ, : କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଲକ୍ଷାଧିକ ସାଧୁଙ୍କର ସମାଗମ ହୋଇଥିବାବେଳେ ସାଧୁଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା‌ କରାଯାଇଛି। ବିଭିନ୍ନ ଆଖଡ଼ା ଏବଂ ଶିବିର ଗୁଡ଼ିକ ପାଇଁ ୪ କମ୍ପାନି ବେସାମରିକ ବାହିନୀ ନିୟୋଜିତ ହୋଇଛନ୍ତି। କୁମ୍ଭମେଳାରେ ୧୩ଟି ଆଖଡ଼ା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ‌ପାଲଟିଥିବାବେଳେ ଏହାର ସୁରକ୍ଷା ସେନାବାହିନୀ ଏବଂ ସିଆଇଏସଏଫ୍‌ ହାତରେ ରହିଛି। ଦ୍ବାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ରହିଛନ୍ତି। ପାଖାପାଖି ୨୦ ଜଣ ପ୍ରମୁଖ ସାଧୁଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି। ପୁଲିସ ଅନୁଯାୟୀ ଦେଶର ବିଭିନ୍ନ ଅଂଶରୁ ପାଖାପାଖି ୨୬୦ ସାଧୁଙ୍କୁ ପୁଲିସ ସୁରକ୍ଷା ମିଳିଛି। ଅଖିଳ ଭାରତୀୟ ଆଖଡ଼ା ପରିଷଦ )ଏବିଏପି) ସାଧାରଣ ସଚିବ ହରିଗିରିଜି ମହାରାଜ ଏବଂ ଏହାର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମଧ୍ୟ ୟୁପି ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ମହନ୍ତ ନରେନ୍ଦ୍ର ଗିରିଙ୍କୁ ପୁଲିସ ସୁରକ୍ଷା ଗାଡ଼ି ଦିଆଯାଇଛି। ତେବେ ସ୍ଥାନୀୟ ଗୁଇନ୍ଦା ସଂସ୍ଥାର ସୂଚନା କ୍ରମେ ଚଳିତ କୁମ୍ଭମେଳାରେ ସୁରକ୍ଷା ବ୍ୟବସ୍ଥା ଅଧିକ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର