ବିବାଦରେ ଯୋଗୀଙ୍କ ‘ମୋଦୀଜୀ କି ସେନା’ ବୟାନ

କ୍ଷମା ପ୍ରାର୍ଥନା ଦାବି କଲେ ବିରୋଧୀ ଦଳ, ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ମନ୍ତବ୍ୟ ଆଜି ବଡ଼ ବିବାଦ ସୃଷ୍ଟି କରିଛି। ଯୋଗୀ ଭାରତୀୟ ସେନାବାହିନୀକୁ ‘ମୋଦୀଜୀ କି ସେନା’ ବୋଲି କହିଥିବାରୁ ଏହାକୁ ବିରୋଧୀଦଳମାନେ କଡ଼ା ସମାଲୋଚନା କରିବା ସହ ଯୋଗୀ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏବାବଦରେ ଗାଜିଆବାଦ୍‌ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଯୋଗୀ ଗତକାଲି ଗାଜିଆବାଦ୍ ଏବଂ ‌ଗ୍ରେଟର ନଏଡ଼ାରେ କରିଥିବା ନିର୍ବାଚନୀ ରୢାଲିରେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆତଙ୍କବା‌ଦୀଙ୍କ ପ୍ରତି ଅତି ନରମ ମନୋଭାବ ପୋଷଣ କରୁଛି କହି ଯୋଗୀ କଂଗ୍ରେସ ଉପରେ ବର୍ଷିଥିଲେ। କଂଗ୍ରେସ ନେତୃତ୍ବାଧୀନ ସରକାର ଆତଙ୍କବାଦୀଙ୍କୁ ବିରିୟାନି ଖାଇବାକୁ ଦେଉଥିବାବେଳେ ‘ମୋଦୀଜୀଙ୍କ ସେନା ଆତଙ୍କବାଦୀଙ୍କୁ ଗୁଳି ଏବଂ ବୋମା ଖୁଆଉଛି’ ବୋଲି ଯୋଗୀ କହିଥିଲେ। କଂଗ୍ରେସ ଜୈସ୍‌ ମୁଖ୍ୟ ମାସୁଦ୍‌ ଆଝାରକୁ ଅତ୍ୟନ୍ତ ସମ୍ମାନର ସହ ମାସୁଦ୍‌ଜୀ ବୋଲି ସମ୍ବୋଧନ କରି ଆତଙ୍କବାଦକୁ ପ୍ରୋ‌ତ୍ସାହନ‌ ଦେଉଛି ବୋଲି ସେ କହିଥିଲେ। ତେବେ ଯୋଗୀଙ୍କର ଏହି ‘ମୋଦୀଜୀ କି’ ସେନା ଟିପ୍ପଣିକୁ ଆଜି ବିଭିନ୍ନ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି। ଯୋଗୀଙ୍କର ଏଭଳି ବୟାନ ଭାରତୀୟ ସେନା ପ୍ରତି ଅପମାନ ସଦୃଶ ଏବଂ ସେ ‌ଏଥିପାଇଁ କ୍ଷମା ମାଗିବା ଉଚିତ୍‌ ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗୀଙ୍କ ଏଭଳି ବୟାନକୁ ଅତ୍ୟନ୍ତ ଅପ୍ରୀତିକର ବୋଲି କହିଛନ୍ତି। କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା ଆମ ସେନାବାହିନୀ ପ୍ରତି ଏକ ଅପମାନ। ସେହିପରି ପୂର୍ବତନ ସେନା‌ ମୁଖ୍ୟ ଜେନେରାଲ ଶଙ୍କର ରାୟଚୌଧୁରୀ କହିଛନ୍ତି ଯେ ସେନାବାହିନୀ କାହାର ଘରୋଇ ‌ସେନା ନୁହନ୍ତି। ରାଜ‌‌ନେତାମାନେ ମୂଳ କଥା ଜାଣିବା ଉଚିତ୍‌ ବୋଲି ସେ କହିଛନ୍ତି। ଉଲ୍ଲେଖ‌ଯୋଗୀ ନିର୍ବାଚନ କମିସନ ନିକଟରେ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ନିର୍ବା‌ଚନୀ ପ୍ରଚାରରୁ ସେନା କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ ନକରିବାକୁ କହିଥିଲେ ସୁଦ୍ଧା ‌ଯୋଗୀଙ୍କ ଏଭଳି ବୟାନକୁ ବିରୋଧୀ ଦଳମାନେ ନିନ୍ଦନୀୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର