ଗାଡ଼ି ଚଳାଉଥିବା ସମୟରେ ଫୋନ୍‌ରେ କଥା ହେଉଥିବାର ଧରାପଡ଼ିଲେ ଚାଳକଙ୍କ ଲାଇସେନ୍ସ ରଦ୍ଦ ହେବ

କୋଟା(ରାଜସ୍ଥାନ): ରାଜସ୍ଥାନ ହାଇକୋର୍ଟ ଗାଡ଼ି ଚାଳକଙ୍କ ପାଇଁ ତଥା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଗୋପାଳ କୃଷ୍ଣ ବ୍ୟାସ ଓ ବିଚାରପତି ରାମଚନ୍ଦ୍ର ସିଂହ ଝାଲାଙ୍କ ଖଣ୍ଡପୀଠରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ଦୁର୍ଘଟଣାର ଏକ ମୁଖ୍ୟ କାରଣ ବୋଲି କୁହାଯାଇଛି। ରାଜ୍ୟ ସରକାର ଓ ଟ୍ରାଫିକ୍‌ ପୁଲିସ ଏହା ସୁନିଶ୍ଚିତ କରନ୍ତୁ କି ଗାଡ଼ି ଚଳାଉଥିବା ସମୟରେ ମୋବାଇଲ କିମ୍ବା ଇୟରଫୋନ୍‌ ବ୍ୟବହାର ଚାଳକ ଯେପରି ନ କରନ୍ତୁ। ଏଭଳି କରୁଥିବା ସମୟରେ ଯଦି ଚାଳକ ଧରାପଡ଼ନ୍ତି ତେବେ ଉକ୍ତ ଚାଳକଙ୍କ ଫଟୋ ଉଠାଇ ଆରଟିଓ ଜରିଆରେ ତୁରନ୍ତ ଲାଇସେନ୍ସ ରଦ୍ଦ କରାଯିବ।

ଖଣ୍ଡପୀଠରେ କୁଶିନଗରରେ ସ୍କୁଲ ଭ୍ୟାନ୍‌ ଚାଳକ କାନରେ ଇୟରଫୋନ୍‌ ଲଗାଇ କଥା ହେଉଥିବା ହେତୁ ଟ୍ରେନ୍‌ ସହିତ ଭ୍ୟାନ୍‌ଟି ଧକ୍କା ଖାଇଥିଲା। ଫଳରେ ଏହି ଦୁର୍ଘଟଣାରେ କେତେକ କଅଁଳ ଶିଶୁଙ୍କ ଜୀବନ ଚାଲି ଯାଇଥିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର