ପରିବାରର ଇଚ୍ଛା ବିରୋଧରେ ଯାଇ ବିବାହ କରିବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଲା ; ପ୍ରତିଶୋଧ ନେବାକୁ ଉଲଗ୍ନ କରି ପରିସ୍ରା ପିଆଇଲେ…

ଭୋପାଳ (ମଧ୍ୟପ୍ରଦେଶ): ନିଜ ପରିବାରର ଇଚ୍ଛା ବିରୋଧରେ ଯାଇ ବିବାହ କରିବା ଘଟଣା ଏକ ଆଦିବାସୀ ପ୍ରେମୀ ଯୁଗଳଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି କାରଣ ପାଇଁ ନବବିବାହିତ ଦମ୍ପତିଙ୍କୁ ଉଲଗ୍ନ କରାଯାଇ ପରିସ୍ରା ପିଇବାକୁ ବାଧ୍ୟ କରାଯାଇଛି। ଏହି ଅଭାବନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂର ହରିଦାସପୁର ଗ୍ରାମରେ ଗତ ଜୁଲାଇ ୨୫ ତାରିଖରେ।

ଅମ୍ବୁଆ ଥାନା ଅଧିକାରୀ ବିକାଶ କପିସ୍‌ଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉକ୍ତ ଗ୍ରାମର ଜନୈକା ୧୯ ବର୍ଷ ବୟସ୍କା ଯୁବତୀ ସେହି ଗ୍ରାମର ଜନୈକ ୨୧ ବର୍ଷ ବୟସ୍କ ଯୁବକଙ୍କୁ ତାଙ୍କ ପରିବାରର ଇଚ୍ଛା ବିରୋଧରେ ଗତ ମେ ମାସରେ ବିବାହ କରିଥିଲେ। ଯୁବତୀଙ୍କ ପରିବାର ବର୍ଗ ଏହି ବିବାହକୁ ବିରୋଧ କରୁଥିବାରୁ ସେମାନେ ଏହି ବିବାହ ବିରୋଧରେ ଯାଇ ‘ଜାତ୍‌ ପଞ୍ଚାୟତ’ର ଦ୍ୱାରସ୍ଥ ହୋଇଥିଲେ। ‘ଜାତ୍‌ ପଞ୍ଚାୟତ’ ଏହି ମାମଲାର ବିଚାର କରି ଯୁବକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ୭୦ ହଜାର ଟଙ୍କା ଯୁବତୀଙ୍କ ପରିବାର ବର୍ଗଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇ ଏହି ମାମଲାର ସମାଧାନ କରି ଦେଇଥିଲେ।

ଏହାପରେ ଏହି ନବ ବିବାହିତ ଦମ୍ପତି କାମଧନ୍ଦା ସନ୍ଧାନରେ ଗୁଜୁରାଟ ଚାଲି ଯାଇଥିଲେ। ତେବେ, ଗତ ସପ୍ତାହରେ ଏହି ଦମ୍ପତି ଗାଁକୁ ଫେରି ଯୁବକଙ୍କ ଦାଦାଙ୍କ ଘରେ ଆସି ରହିଥିଲେ। ତେବେ, ଏ ଖବର ପାଇବା ପରେ ଯୁବତୀଙ୍କ ପରିବାର ବର୍ଗ ଗତ ୨୫ ତରିଖ ପ୍ରତ୍ୟୁଷ ୪ଟା ସମୟରେ ଆସି ଯୁବକଙ୍କ ଦାଦାଙ୍କ ଘରେ ପହଞ୍ଚିବା ସହ ବନ୍ଧୁକମୁନରେ ନବ ବିବାହିତ ଦମ୍ପତିଙ୍କୁ ଭୟଭୀତ କରାଇ ସେମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ପରେ ସେମାନେ ଯୁବକ ଜଣଙ୍କୁ ଉଲଗ୍ନ କରି ପକାଇ ଗୋଟିଏ ଖୁଣ୍ଟରେ ବାନ୍ଧିଦେବା ସହ ତାଙ୍କୁ ନଣ୍ଡା କରିବା ସହ ନିର୍ଘାତ ପିଟିଥିଲେ। ପରେ ସେମାନେ ଯୁବତୀ ଜଣକୁ ଅର୍ଦ୍ଧ ଉଲଗ୍ନ କରି ପକାଇବା ସହ ମୁଣ୍ଡରୁ ଅଧେ ଚୁଟି କାଟି ପକାଇଥିଲେ। ଏତେ ପରେ ବି ସେମାନଙ୍କର ମନ ବୁଝି ନଥିଲା; ସେମାନେ ଏହି ଦମ୍ପତିଙ୍କୁ ଜୋର ଜବରଦସ୍ତ ପରିସ୍ରା ପିଆଇ ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି, ଅମ୍ବୁଆ ଥାନା ଅଧିକାରୀ ବିକାଶ କପିସ୍‌। ପରେ ଅଭିଯୁକ୍ତମାନେ ପରିବାରର ଇଚ୍ଛା ବିରୋଧରେ ବିବାହ କରି ପରିବାରର ଇଜ୍ଜତକୁ ତଳେ ପକାଇଥିବାରୁ ଏହା ପ୍ରତିଶୋଧ ବୋଲି କହି ଏହି ଦମ୍ପତିଙ୍କୁ ଛାଡ଼ି ଦେଇଥିଲେ।


ଏହି ଘଟଣା ପରେ ନିର୍ଯାତିତା ଦମ୍ପତି ପୁଲିସ୍‌ ଥାନାକୁ ଆସି ଘଟରା ସଂପର୍କରେ ଜଣାଇବା ସହ ମହିଳାଙ୍କ ବାପା, ଦୁଇ ଦାଦାଙ୍କ ସମେତ ଅନ୍ୟ ୩ ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି ବୋଲି କହିଛନ୍ତି ଆଲିରାଜପୁର ଏସ୍‌ପି ବିପୁଲ ଶ୍ରୀବାସ୍ତବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର