ଲୋକସଭା ନିର୍ବାଚନ ଚର୍ଚ୍ଚାରେ ଯୁବନେତା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ  ଏବେ ଅନେକ ଯୁବନେତା ଚର୍ଚ୍ଚାରେ ରହିଛନ୍ତି।   ସେମାନେ ନିର୍ବାଚନୀ ଯୁଦ୍ଧରେ ସଫଳ ହେବେ ବୋଲି  ମଧ୍ୟ ଆଶା କରାଯାଉଛି। ଭବିଷ୍ୟତର ରାଜନୀତିକୁ ଦୃଷ୍ଟିରେ ରଖି ଯୁବ ନେତାଙ୍କୁ ମର୍ଯ୍ୟାଦାସଂପନ୍ନ ଆସନଗୁଡ଼ିକରେ ପ୍ରାର୍ଥୀ କରାଯାଇଛି।

ତେଜସ୍ବୀ ସୂର୍ଯ୍ୟ: ୨୮ ବର୍ଷୀୟ ତେଜସ୍ବୀ ସୂର୍ଯ୍ୟ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଦେଶର ସର୍ବକନିଷ୍ଠ ପ୍ରାର୍ଥୀ ‌ତେଜସ୍ବୀ ବରିଷ୍ଠ କଂଗ୍ରେସ ନେତା ବିକେ ହରିପ୍ରସାଦଙ୍କୁ ଏହି ଆସନରୁ ସାମ୍ନା କରିବେ। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ। ବିଜେପିର ଉଦୀୟମାନ ତାରକା ତେଜସ୍ବୀଙ୍କ ପଛରେ ଯୁବ ଗୋଷ୍ଠୀର ସମର୍ଥନ ରହିଛି । ସେ‌ପଟେ ବିଜେପି ରାଜ୍ୟ ମୁଖ୍ୟ ବିଏସ୍‌ ୟେଦୁରପ୍ପା ମଧ୍ୟ କହିଛନ୍ତି ଯେ ତେଜସ୍ବୀ  ଏହି ଆସନରୁ ନିର୍ବାଚନ ଜିତିବା ସୁନିଶ୍ଚିତ।

ରାଘବ ଚଢ଼ା:  ୩୦ ବର୍ଷୀୟ ରାଘବ ଚଢ଼ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ  ଆପ୍‌ ପ୍ରାର୍ଥୀ। ଚଧା ଆପ୍‌ର ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଏବଂ ଜାତୀୟ ମୁଖପାତ୍ର।  ଲୋକସଭା ନିର୍ବାଚନ ପାଇଁ ସେ ଦକ୍ଷିଣ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀର  ଆପ୍‌ ପ୍ରଭାରୀ ଅଛନ୍ତି। ସେ   ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ୍‌ ଏବଂ ପୂର୍ବରୁ ଦଳର ପ୍ରଚାର କାର୍ଯ୍ୟରେ ଗୁରୁ ଦାୟିତ୍ବ  ନିର୍ବାହ କରିଛନ୍ତି।

କହ୍ନେୟା କୁମାର: ଚଳିତ ନିର୍ବାଚନରେ ଅନ୍ୟ ଜଣେ ଯୁବ ପ୍ରାର୍ଥୀ ହେଉଛନ୍ତି କହ୍ନେୟା କୁମାର। ୩୨ ବର୍ଷୀୟ ଏହି ପୂର୍ବତନ ଛାତ୍ର‌ନେତା ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟ୍‌ରେ ନିର୍ବାଚନ ଲଢ଼ୁଛନ୍ତି। ପ୍ରଥମ  ଥର ପାଇଁ ଜାତୀୟ ରାଜନୀତିରେ ପ୍ରବେଶ କରିଥିବା କହ୍ନେୟା ବିଜେପିର ଗିରିରାଜ ସିଂହଙ୍କୁ ଏହି ଆସନରୁ ସାମ୍ନା କରିବେ ।

ନିଖିଳ ଗୌଡ଼ା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଳ ଗୌଡ଼ା ମଧ୍ୟପ୍ରଦେଶର ମାଣ୍ଡ୍ୟା ଲୋକସଭା ନିର୍ବାଚନ ମଣ୍ଡଳୀରୁ  ପ୍ରାର୍ଥୀ ହୋଇଛନ୍ତି। ୨୯ ବର୍ଷୀୟ ନିଖିଳ  ଦୁଇ ଦିନ ତଳେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ପ୍ରବଳ ଜନସମାଗମ ହୋଇଥିଲା।   ଅଭିନୟରେ ସଫଳ କ୍ୟାରିୟର କରିଛନ୍ତି ନିଖିଳ। ୨୦୧୬ରେ  ଜାଗୁଆର ମୁଭିରୁ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ।

ନୁସରତ ଜାହାଁ: ୨୯ ବର୍ଷୀୟା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ଏଥର ଟିଏମ୍‌ସି ‌ଟିକେଟ୍‌ରେ ନିର୍ବାଚନ ମଇଦାନକୁ ଆସିଛନ୍ତି। ବସିରହାଟ୍‌ରୁ ସେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ନେଇ  ନାନା ବିବାଦ ଲାଗି ରହିଥିଲେ ମଧ୍ୟ ତାଙ୍କ ପଛରେ ଦୃଢ଼ ଜନ ସମର୍ଥନ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର