ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଭୋଟର

ନୂଆଦିଲ୍ଲୀ : ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଭୋଟର୍‌। ୨୦୧୯ ଲୋକସଭା ନିର୍ବାଚନରେ ଏହି ଭୋଟର୍‌ମାନେ ସରକାର ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏବେ ଅଧିକାଂଶ ରାଜନୈତିକ ଦଳ ସେମାନଙ୍କ ନିର୍ବ‌ାଚନୀ ଇସ୍ତାହାରରେ ଯୁବ ଭୋଟରଙ୍କୁ ଆକର୍ଷିତ କଲାଭଳି ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ନିର୍ବାଚନରେ ୯୦ କୋଟି ଲୋକଙ୍କ ନାମ ଭୋଟର ତାଲିକାରେ ପଞ୍ଜିକୃତ ହୋଇଥିବା ବେଳେ ଏଥିରେ ନୂଆ ‌ଭୋଟର ତଥା ଯୁବ ଭୋଟର ରହିଛନ୍ତି ୧.୫ କୋଟି। ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଲୋକସଭାକୁ ଅଧିକ ଆସନ ଦେଉଥିବା ରାଜ୍ୟ ତଥା ଉତ୍ତରପ୍ରଦେଶ, ବିହାର , ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଏହି ନୂଆ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏହିସବୁ ରାଜ୍ୟ ଗୁଡ଼ିକ‌ରେ ୨୩୫ଟି ଲୋକସଭା ଆସନ ରହିଛି। କେନ୍ଦ୍ରରେ ସରକାର ଗଠନରେ ଏହି ରାଜ୍ୟଗୁଡ଼ିକର ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, କାରଣ ଏହି ରାଜ୍ୟଗୁଡ଼ିକରୁ ୪୩ ପ୍ରତିଶତ ଲୋକସଭା ସଦସ୍ୟ ନିର୍ବାଚିତ ହେବେ। ବିହାରରେ ୬୧୩୩୯୪୦ ଯୁବ ଭୋଟର୍‌ ରହିଥିବା ବେଳେ ପଶ୍ଚିମବଙ୍ଗରେ ୫୫୦୨୫୫୮, ରାଜସ୍ଥାନରେ ୪୩୪୫୨୪୫, ମହାରାଷ୍ଟ୍ରରେ ୪୧୭୦୯୪୧ ଏବଂ ଉତ୍ତରପ୍ରଦେଶରେ ୩୯୭୪୦୩୦ ଯୁବ ଭୋଟର ଅଛନ୍ତି।
ଯୁବ ଭୋଟରଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି ସୋସିଆଲ ମିଡିଆ। ଭାରତରେ ଏବେ ୪୩ କୋଟି ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଅଛନ୍ତି। ଏହି ସ୍ମାର୍ଟଫୋନ୍‌ ଦ୍ବାରା ସେମାନେ ହ୍ବାଟ୍ସଆପ୍‌ ଏବଂ ମେସେଞ୍ଜର୍‌ ବ୍ୟବହାର କରୁଛନ୍ତି। ଏବେ ୨୦ କୋଟି ଲୋକ ଏହି ମେସେଞ୍ଜର ସେବାରେ ସକ୍ରିୟ ରହୁଛନ୍ତି। ସାଧାରଣ‌ ଲୋକଙ୍କ ନିକଟରେ ପହଞ୍ଚିବାପାଇଁ ଏବେ ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ ପ୍ରମୁଖ ମାଧ୍ୟମ ପାଲଟିଛି। ନିର୍ବାଚନୀ ପ୍ରଚାରରେ ମଧ୍ୟ ଯୁବପିଢ଼ି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର