କର୍କଟ ରୋଗ ସହ ଲଢ଼ୁଥିବା ବିଜେପି ସାଂସଦ ଅନୀଲ ବାଲୁନିଙ୍କୁ ଭେଟିଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟରୁ ସନ୍ୟାସ ନେଇଥିବା କ୍ରିକେଟର୍ ଯୁବରାଜ ସିଂହ ଭାରତୀୟ ଜନତା ପାର୍ଟିର ସାଂସଦ ଅନୀଲ ବାଲୁନିଙ୍କୁ ଭେଟିଛନ୍ତି। ଉତ୍ତରାଖଣ୍ଡର ଜଣାଶୁଣା ବିଜେପି ନେତା ଅନୀଲ ବାଲୁନି ଏବେ କର୍କଟ ରୋଗ ସହ ଲଢ଼େଇ କରୁଥିବା ଜାଣି ତାଙ୍କ ପାଖରେ ପହଞ୍ଚିଥିଲେ ଯୁବରାଜ।  ଏହି ସାକ୍ଷାତ ସମୟରେ କର୍କଟ ଭଳି ରୋଗ ସହ ଲଢ଼ିବା ପାଇଁ ବଲାନିଙ୍କୁ ସାହସ ଦେବା ସହ ଶୁଭକାମନା ଜଣାଇଥିଲେ ଯୁବରାଜ। ଅନୀଲ ବାଲୁନି ଏବେ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

କର୍କଟ ଭଳି ରୋଗ ସହ ଲଢ଼େଇ କରି ସାରିଥିବା ଯୁବରାଜ ନିଜ ଟୁଇଟର ଆକାଉଣ୍ଟରେ ଅନୀଲ ବାଲୁନିଙ୍କ ସହ ଫଟୋ ସେୟାର କରିବା ସହ ତାଙ୍କର ସୁସ୍ଥତା ପାଇଁ କାମନା କରିଥିଲେ। ଟୁଇଟରେ ଲେଖାଥିଲା କି, ‘ହଁ ଆମେ କର୍କଟ ରୋଗକୁ ହରାଇ ପାରିବା! ମୁଁ ଅନୀଲ ବାଲୁନିଜୀଙ୍କୁ ଶୁଭକାମନା ଜଣାଇବି, କାରଣ ସେ ଖୁବ୍ ସାହସର ସହ ଏହି ରୋଗ ସହ ଲଢ଼ୁଛନ୍ତି। ଆଶା କରୁଛି, ଖୁବ୍ ଶୀଘ୍ର ସେ ଭଲ ହୋଇ ଲୋକଙ୍କ ସେବାରେ ଲାଗିବେ।’

ତାଙ୍କର ଏଭଳି ଟୁଇଟ୍ ପରେ ଲୋକେ ସାଂସଦ ବାଲୁନିଙ୍କ ସୁସ୍ଥତା ପାଇଁ ଭଗବାନଙ୍କୁ ଡ଼ାକିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର