ଜାକିର ନାଏକକୁ ପ୍ରତ୍ୟାର୍ପଣ କରିବନି ମାଲେସିଆ

କ୍ୱାଲାଲାମ୍ପୁର : ଭାରତରୁ ଫେରାର ହୋଇଯାଇଥିବା ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟାର୍ପଣ କରିବ ନାହିଁ ମାଲେସିଆ । ଏ କଥା ଖୋଦ ମାଲେସିଆ ପ୍ରଧାନମନ୍ତ୍ରୀ ମାହାଥିର ମହମ୍ମଦ ସ୍ପଷ୍ଟ କରିଦେଇଛନ୍ତି । ଏହା ଫଳରେ ଜାକିରକୁ ଭାରତକୁ ଅଣାଯିବା ନେଇ ଚାଲିଥିବା ସବୁ ପ୍ରକାରର କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଭେଦ ଓ ଧାର୍ମୀକ ହିଂସା ଉଦ୍ରେକକାରୀ ଭାଷଣ ଦେବା ଅଭିଯୋଗରେ ଜାକିର ନାଏକ ବିରୋଧରେ ଭାରତରେ ମାମଲା ରୁଜ୍ଜୁ ହୋଇଥିବାବେଳେ ସେ ୨୦୧୬ରୁ ଭାରତରୁ ପଳାଇ ଇସ୍ଲାମିକ ଦେଶ ମାଲେସିଆରେ ରହୁଛି ।

ଜାକିରର ପ୍ରତ୍ୟାର୍ପଣ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତିନି ମାସ ତଳେ ମାଲେସିଆ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏ ସଂପର୍କରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରେ ଏହି ଆବେଦନ କରାଯାଇଥିଲା। ଗତ ମାର୍ଚ୍ଚମାସରେ ମାଲେସିଆର ଏକ କୋର୍ଟ କହିଥିଲେ ଯେ ଭାରତ ସରକାର ଜାକିର ନାଏକ ପ୍ରତ୍ୟାର୍ପଣ ମାମଲାରେ ଆବେଦନ କଲେ ତାହାର ଶୁଣାଣୀ କରାଯିବ । ମାଲେସିଆ ସରକାର ମଧ୍ୟ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ଥିବା ପୂର୍ବରୁ ସଂକେତ ଦେଇଥିଲେ । ଗତ ନଭେମ୍ବର ମାସରେ ମାଲେସିଆର ଉପ-ପ୍ରଧାନମନ୍ତ୍ରୀ ମହମ୍ମଦ ଜାହିଦ କହିଥିଲେ ଯେ ଭାରତ-ମାଲେସିଆ ମଧ୍ୟରେ ସ୍ୱାକ୍ଷରିତ ପାରସ୍ପରିକ ଆଇନ ସହାୟତା ଚୁକ୍ତି ଅଧିନରେ ଭାରତ ସରକାର ଏକ ଅନୁରୋଧ ପଠେଇଲେ ପ୍ରତ୍ୟାର୍ପଣ କରାଯିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଏବେ ମାଲେସିଆ ସରକାରଙ୍କ ନିଷ୍ପତି ଭାରତକୁ ନିରାଶ କରିଛି ।

ସମ୍ବନ୍ଧିତ ଖବର