ମହକାଶରେ ଭାରତର ବଡ଼ ପ୍ରସ୍ତୁତି: ନିଜସ୍ବ ସ୍ପେସ୍‌ ଷ୍ଟେସନ୍‌ ନିର୍ମାଣ କରିବ

ନୂଆଦିଲ୍ଲୀ: ଭାରତ ମହାକାଶରେ ନିଜସ୍ବ ସ୍ପେସ୍‌ ଷ୍ଟେସନ୍‌ (ମହାକାଶ କେନ୍ଦ୍ର) ନିର୍ମାଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଭାରତର ମହାକାଶ ଗବେଷଣା ଇତିହାସରେ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ଆଜି ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ ଏ ସଂପର୍କରେ ସୂଚନା ଦେଇଛନ୍ତି। ଭାରତ ଏହି ପ୍ରକଳ୍ପକୁ ୨୦୩୦ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସିବନ କହିଛନ୍ତି। ୨୦ ଟନ୍‌ ଓଜନର ସ୍ପେସ୍‌ ଷ୍ଟେସନ ମାଧ୍ୟମରେ ଭାରତ ମାଇକ୍ରୋଗ୍ରାଭିଟି ସଂକ୍ରାନ୍ତ ଗବେଷଣା କରିପାରିବ। ଏହି ସ୍ପେସ୍‌ ଷ୍ଟେସନକୁ ନିର୍ମାଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହା ଦ୍ବାରା ଭାରତର ମହାକାଶ ଯାତ୍ରୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ମହକାଶରେ ରହିପାରିବେ। ଇସ୍ରୋ ସ୍ପେସ୍‌ ଷ୍ଟେସନ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ଭାରତ ଅନ୍ୟ କୌଣସି ଦେଶର ସହାୟତା ନେବନାହିଁ। ଏବେ କେବଳ ଆମେରିକା, ରୁଷ୍‌ ଏବଂ ଚୀନ୍‌ ହିଁ ସ୍ପେସ୍‌ ଷ୍ଟେସନ ନିର୍ମାଣ କରିଛନ୍ତି। ଅନ୍ୟ ରାଷ୍ଟ୍ରମାନେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନର ବ୍ୟବହାର କରୁଛନ୍ତି। ସେସ୍ପ୍‌ ଷ୍ଟେସନ ପ୍ରକଳ୍ପ ଗଗନଯାନ ମିସନ୍‌ର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହେବ। ସରକାର ପୂର୍ବରୁ ଗଗନଯାନ ମିସନ ପାଇଁ ୧୦ ହଜାର କୋଟି ଟଙ୍କା ମଂଜୁର କରିଛନ୍ତି। ୨୦୨୨ରେ ମହକାଶଚାରୀଙ୍କୁ ପଠାଇବା ପୂର୍ବରୁ ୨ଟି ମାନବବିହୀନ ଯାନ ମଧ୍ୟ ପଠାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର