ଘାତକ ହେଲା ନୌ-ଯାତ୍ରା : ଗୋଦାବରୀରେ ନୌକା ବୁଡ଼ି ୧୩ ମୃତ, ୩୬ ନିଖୋଜ, ଏନ୍‌ଡିଆର୍‌ଏଫ୍‌ର ଉଦ୍ଧାର କାର୍ଯ୍ୟ ଜାରି

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ୩ ନିଖୋଜ

ଅମରାବତୀ/ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଯାତ୍ରୀବାହୀ ମୋଟର ବୋଟ୍ ଓଲଟି ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬ ଜଣ ନିଖୋଜ ଥିବାବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୨ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଆଜି ସକାଳେ ଦେବୀପଟ୍ଟନମରୁ ମୋଟର ବୋଟ୍ ୬୦ରୁ ଊର୍ଧ୍ବ ଯାତ୍ରୀଙ୍କୁ ନେଇ ପାଟାକୁଣ୍ଡଲୁମ ଅଭିମୁଖେ ବାହାରିଥିଲା। ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗୋଦାବରୀ ନଦୀରେ ପ୍ରଖର ସ୍ରୋତ ରହିଥିଲା। ଯାହାଫଳରେ ଭାରସାମ୍ୟ ହରାଇ ଗୋଟିଏ ପଟକୁ ବୋଟ୍‌ଟି ଢଳି ଯାଇଥିଲା। ତେଣୁ କିଛି ଯାତ୍ରୀ ନଦୀ ମଧ୍ୟକୁ ଖସି ପଡ଼ିବାରୁ ଅନ୍ୟମାନେ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଯାହାଫଳରେ ନିୟନ୍ତ୍ରଣ ହରାଇ ମଝି ନଈରେ ବୋଟ୍‌ଟି ସଂପୂର୍ଣ୍ଣ ବୁଡ଼ି ଯାଇଥିବା କୁହାଯାଉଛି। ଶେଷ ଖବର ସୁଦ୍ଧା ୨୫ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସେହିପରି ୧୩ଜଣ ଯାତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆନ୍ଧ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନ ନିମନ୍ତେ ଗୋଦାବରୀ ନଦୀରେ ମୋଟର ବୋଟ୍ ବ୍ୟବସ୍ଥା କରାଯାଇଛି। ତେବେ ବର୍ଷା ଦିନ ଚାଲିଥିବାରୁ ଏହି ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ଜଳପଥରେ ଯୋଗାଯୋଗ ବନ୍ଦ କରିଥିଲେ ସରକାର। ବର୍ଷା ସାମାନ୍ୟ କମିଥିବାରୁ ଗତକାଲି ହିଁ ମୋଟର ବୋଟ୍‌ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ନଦୀ ଫୁଲି ରହିଥିଲା। ତଥାପି ବର୍ଷା ନଥିବାରୁ ଆଜି ସକାଳେ ପର୍ଯ୍ୟଟନ ବିଭାଗର ଗୋଟିଏ ମୋଟର ବୋଟ୍ ୬୦ରୁ ଊର୍ଧ୍ବ ଯାତ୍ରୀଙ୍କୁ ନେଇ ପାଟାକୁଣ୍ଡଲୁମ ଅଭିମୁଖେ ବାହାରିଥିଲା। ନଦୀର ସ୍ରୋତର ବିପରୀତ ଦିଗରେ ବୋଟ୍ ଚାଲିଥିବାରୁ ମଝି ନଈରେ ଟଳମଳ ହେବା ଆରମ୍ଭ ହୋଇଥିଲା। ତଥାପି ବୋଟ୍ ଚାଳକ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ନଦେଇ ଆଗକୁ ଚାଲିଥିଲେ। କାଚ୍ଚୁଲୁରୁ ନିକଟରେ ବୋଟ୍ ନିୟନ୍ତ୍ରଣ ହରାଇବାରୁ ଗୋଟିଏ ପଟକୁ ଢ଼ଳିବା ଆରମ୍ଭ କରିଥିଲା। ତେଣୁ ବୋଟର ଗୋଟିଏ ପାର୍ଶ୍ବରେ ଠିଆ ହୋଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା କିଛି ଯାତ୍ରୀ ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସି ପଡ଼ିଥିଲା। ଏହି ଦୃଶ୍ୟ ଦେଖି ଅନ୍ୟମାନେ ଦୌଡ଼ାଦୌଡ଼ି ହୋଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଯାହାଫଳରେ ବୋଟ୍ ନିୟନ୍ତ୍ରଣ ହରାଇ ବୁଡ଼ିବା ଆରମ୍ଭ କରିଥିଲା। ପହଁରା ଜାଣିଥିବା ୨୫ଜଣ ଯାତ୍ରୀ ନଦୀକୁ ଡେଇଁ କୂଳରେ ପହଞ୍ଚି ଯାଇଥିଲେ।

ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଗୋଟିଏ ବୋଟ୍ ଅଟକି ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ସେହିପରି ସ୍ଥାନୀୟ ପ୍ରଶାସନକୁ ମଧ୍ୟ ବୋଟ୍ ବୁଡ଼ିବା ସଂପର୍କରେ ଖବର ଦିଆଯିବାରୁ ଅଗ୍ନିଶମ ବିଭାଗ ପହଞ୍ଚିଥିଲା। ‌ଏନଡିଆରଏଫ ଟିମ୍ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଶେଷ ଖବର ସୁଦ୍ଧା ୧୩ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା। ୩୬ରୁ ଊର୍ଧ୍ବ ଯାତ୍ରୀଙ୍କ ପତ୍ତା ମିଳିନାହିଁ। କ୍ଷମତା ଠାରୁ ଅଧିକ ଯାତ୍ରୀ ଏବଂ ସ୍ରୋତର ବିପରିତ ଦିଗରେ ବୋଟ୍ ଚାଲିଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ନିମନ୍ତେ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ନୌକା (ରୟାଲ ବଶିଷ୍ଠ)ର ଲାଇସେନ୍ସ ନଥିଲା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ୩ ନିଖୋଜ

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଯାଇଛନ୍ତି। ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୪ଘଣ୍ଟା ପରେ ବି ଅନ୍ୟମାନଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ନାକାମାମୁଡି ଗାଁରେ ଗତିଆ ପର୍ବ ଚାଲିଥିଲା। ତେଣୁ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ତୋଟାଗୁଡା ଗାଁର ୪ଜଣ ସୋନାଦେଈ ଗଲୋରୀ (୨୫), ମଂଗଳା ଗଲୋରୀ (୩୦), ଦୀପାଳି ଗଲୋରୀ (୮ମାସ) ଏବଂ ସାନତା ଶିଶା (୨୦) ପ୍ରମୁଖ ନାକାମାମୁଡି ଯାଇଥିଲେ। ଦେଶୀ ଡଙ୍ଗାରେ ଗାଁରୁ ବାହାରିଥିବାବେଳେ ଭୋଜି ଖାଇବା ପରେ ଘରକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି। ମଝି ନଈରେ ଅଧିକ ଲହଡି ହେବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଖବର ପାଇ ଗ୍ରାମବାସୀ ଘାଟରେ ପହଞ୍ଚି ଦେଶୀ ଡଙ୍ଗାରେ ଜଳଭଣ୍ଡାର ମଧ୍ୟକୁ ପଶିଥିଲେ। ସେତେବେଳକୁ ସୋନାଦେଈ ପହଁରି ଗୋଟିଏ କୂଳକୁ ଚାଲି ଆସିଥିଲେ। ତେଣୁ ଅନ୍ୟମାନଙ୍କୁ ସନ୍ଧାନ କରାଯାଇଥିଲା। ସଂଧ୍ୟା ହୋଇଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଖବର ପାଇ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ତହସିଲଦାର ଘାଟରେ ପହଞ୍ଚିଥିଲେ। ଆଜି ସଂଧ୍ୟା ସୁଦ୍ଧା ନିଖୋଜଙ୍କ ପତ୍ତା ମିଳିନଥିବା ବେଳେ ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର