ସାତ ମାସ ଧରି ନାବାଳିକାକୁ ଦୁଷ୍କର୍ମ କରି ଆସୁଥିବା ୧୮ ଅଭିଯୁକ୍ତଙ୍କୁ କୋର୍ଟରେ ପିଟିଲେ ଓକିଲ

ଚେନ୍ନାଇ: ଚେନ୍ନାଇର ପୁରୁଷଓ୍ଵାକଲମ୍‌ଠାରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ୨୨ ଜଣ ଦୁର୍ବୃତ୍ତ ମିଶି ଜଣେ ୧୨ ବର୍ଷୀୟା ନାବାଳିକାକୁ ଲଗାତର ସାତ ମାସ ଧରି ଦୁଷ୍କର୍ମ କରି ଆସୁଥିବା କଥା ସାମ୍ନାକୁ ଆସିବା ପରେ ପୁଲିସ୍‌ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗିରଫ କରିଥିଲା। ସେହି ମାମଲାର ବିଚାର ଚାଲିଥିବା ବେଳେ ଚେନ୍ନାଇର ମହିଳା କୋର୍ଟ ମଧ୍ୟରେ ଜଣେ ଓକିଲ ଅଭିଯୁକ୍ତମାନଙ୍କୁ ବାଡ଼େଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଅଦାଲତରେ ଉପସ୍ଥିତ ରହିଥିଲେ। ମାତ୍ର ସେମାନଙ୍କୁ ଏବେ ଜୁଲାଇ ୩୧ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ସିକ୍ୟୁରିଟି ଗାର୍ଡ, ଏଲିଭେଟର ଅପରେଟର ଏବଂ ପ୍ଲମ୍ବର୍‌ ଆଦି ୨୨ ଜଣ ମିଶି ପୁରୁଷଓ୍ଵାକଲମ୍‌ଠାରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ଶ୍ରବଣ ଶକ୍ତିରେ ଦୁର୍ବଳ ଥିବା ଜଣେ ୧୨ ବର୍ଷୀୟା ନାବାଳିକାକୁ ଲଗାତର ସାତ ମାସ ଧରି ଦୁଷ୍କର୍ମ କରି ଆସୁଥିଲେ। ଏ ସଂପର୍କରେ ପୁଲିସ୍‌ ପକ୍ଷରୁ ସୋମବାର ସୂଚନା ମିଳିଛି। ଏହି ଜଘନ୍ୟ ଅପରାଧରେ ୨୨ ଜଣ ସଂପୃକ୍ତ ଥିବା ବେଳେ ତଦନ୍ତକରୀ ଏବେ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛନ୍ତି।

ଏମାନେ ସପ୍ତମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ସହ ଏପରି ଘୃଣ୍ୟ କାର୍ଯ୍ୟ କରିବା ପାଇଁ ପ୍ରଥମେ ତାକୁ ଇନ୍‌ଜେକ୍ସନ ଦ୍ୱାରା ନିଶା ଦେଇ ଦଉଥିଲେ। ଖାଲି ସେତିକି ନୁହେଁ ସେମାନେ ମୃଦୁ ପାନୀୟରେ ନିଶା ମିଳାଇବା ସହ କିଛି ଶୁଙ୍ଘାଇବା ଦ୍ୱାରା ବି ବେହୋସ କରାଇ ଏପରି ମନ୍ଦ କାର୍ଯ୍ୟ କରୁଥିଲେ। ସେମାନେ ଏପରି ମୁହୂର୍ତ୍ତର ଭିଡିଓ ସୁଟ୍‌ ବି କରିଥିଲେ ବୋଲି ତଦନ୍ତକାରୀ ଜଣାଇଛନ୍ତି। ଏହି ଭିଡିଓ ଦେଖାଇ ସେମାନେ ନାବାଳିକାକୁ ଧମକ ଦେଉଥିଲେ। କାହାକୁ ଏ ସଂପର୍କରେ କହିଲେ ସେମାନେ ଭିଡିଓକୁ ଇଣ୍ଟର୍‌ନେଟ୍‌ରେ ଛାଡ଼ିଦେବେ ବୋଲି ଧମକ ଦେଉଥିଲେ।

ସମ୍ବନ୍ଧିତ ଖବର