ସରିଲା ଗୁଜରାଟ ନିର୍ବାଚନ: ୬୮ ପ୍ରତିଶତ ମତଦାନ, ୧୮ରେ ଆସିବ ପରିଣାମ

ଶ୍ରୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ନାନା ବିବାଦ ମଧ୍ୟରେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସମ୍ପନ୍ନ ହୋଇଥିବା ବେଳେ ୬୮ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଉତ୍ତର ଏବଂ କେନ୍ଦ୍ରୀୟ ଗୁଜରାଟରେ ୯୩ଟି ଆସନ ଲାଗି ଆଜି ହୋଇଥିବା ନିର୍ବାଚନରେ ୮୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌୍‌ରେ ବନ୍ଦ ହୋଇଯାଇଛି।

ଦୀର୍ଘ ୨୨ ବର୍ଷ ଧରି ଗୁଜରାଟରେ ଶାସନରେ ରହିଥିବା ବିଜେପି ଲାଗି ଚଳିତ ନିର୍ବାଚନ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି। ଚଳିତ ଥରର ନିର୍ବାଚନ ମୋଦିଙ୍କ ଲାଗି ସମ୍ମାନର ପ୍ରଶ୍ନ ହୋଇଥିବାବେଳେ କଂଗ୍ରେସ ଲାଗି ମଧ୍ୟ ଏହା ଏକ କଡ଼ା ପରୀକ୍ଷା। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ସମୁଦାୟ ୧୪,୫୨୩ ସ୍ଥାନରେ ୨୪,୫୭୫ ମତଦାନ କେନ୍ଦ୍ର ରହିଥିଲା। ମୋଦିଙ୍କ ‘ରୋଡ୍‌ ସୋ’କୁ ନେଇ ଆଜି କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ତୀବ୍ର ରୂପ ନେଇଛି।

ଭଦୋଦରାର ସାଭଲି ନିର୍ବାଚନ ମଣ୍ଡଳୀରେ ଆଜି ସାମ୍ପ୍ରଦାୟିକ ଉତ୍ତେଜନା ହେତୁ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା। ବିଶୃଙ୍ଖଳ ଜନତା କିଛି ଦୁଇଚକିଆ ଯାନରେ ନିଅାଁ ଲଗାଇ ଦେଇଥିଲେ । କିନ୍ତୁ ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ପ୍ରମୁଖ ମତଦାତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତୀରେ ମତଦାନ କରିଥିବାବେଳେ, ମୋଦିଙ୍କ ମା’ ହୀରାବେନ୍‌ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ରାଜ୍ୟ କଂଗ୍ରେସ ମୁଖ୍ୟ ଭରତସିଂହ ସୋଲାଙ୍କି ଏବଂ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ପ୍ରମୁଖ ନିଜ ନିଜ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର