ନବୀନ ମନ୍ତ୍ରିମଣ୍ଡଳର ୪ ମନ୍ତ୍ରୀଙ୍କ ଭାଗ୍ୟ ଇଭିଏମରେ ବନ୍ଦୀ : ବିଜୟ ଆଶାରେ ବିକ୍ରମ, ନିରଂଜନ, ସୁଶାନ୍ତ ଓ ସ୍ନେହାଙ୍ଗିନୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ୪ ଜଣ ମନ୍ତ୍ରୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ଶକ୍ତି ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ମିଳିଥିବା ଭୋଟ୍‌ ଇଭିଏମରେ କଏଦ ହୋଇଛି।

ବିକ୍ରମ କେଶରୀ ଆରୁଖ ତାଙ୍କର ପୁରୁଣା ନିର୍ବାଚନ ମଣ୍ଡଳୀ ଭଂଜନଗରରୁ ପୁଣି ଥରେ ତାଙ୍କର ଭାଗ୍ୟ ପରୀକ୍ଷା କରିଛନ୍ତି। ନିରଞ୍ଜନ ପୂଜାରୀ ସୋନପୁର ଜିଲ୍ଲାର ସୋନପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ ସୁଶାନ୍ତ ସିଂହ ଏବଂ ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଭଟ୍ଟଲି ଓ ଅତାବିରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ବିକ୍ରମ କେଶରୀ ଆରୁଖ,                                                        ସ୍ନେହାଙ୍ଗିନୀ ଛୁରିଆ,                                        ନିରଂଜନ ପୂଜାରୀ,                                 ସୁଶାନ୍ତ ସିଂହ

ବିକ୍ରମ ଆରୁଖଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ପ୍ରଦ୍ୟୁମ୍ନ ନାୟକ (ବିଜେପି) ଓ ସଞ୍ଜୟ କୁମାର ତ୍ରିପାଠୀ( କଂଗ୍ରେସ)। ସେହିପରି ନିରଞ୍ଜନ ପୂଜାରୀଙ୍କ ସହ ଲଢ଼ିଛନ୍ତି ବିଜେପିର ଅଶୋକ ପୂଜାରୀ ଓ କଂଗ୍ରେସର ଚିତ୍ତରଂଜନ ମିଶ୍ର। ଅନ୍ୟପକ୍ଷରେ ସୁଶାନ୍ସ ସିଂହଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ଇରାଶିଷ ଆଚାର୍ଯ୍ୟ( ବିଜେପି) ଓ ସରୋଜ ମହାପାତ୍ର(କଂଗ୍ରେସ)। ସେହିପରି ସ୍ନେହାଙ୍ଗିନୀ ଛୁରିଆଙ୍କ ବିପକ୍ଷରେ ଲଢ଼ିଛନ୍ତି ମିଲନ୍‌ ସେଠ୍‌ ଓ କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦ।

ବିକ୍ରମ ଶାସକ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ଗଂଜାମ ଜିଲ୍ଲାରୁ ଲଢ଼ୁଛନ୍ତି। ଏହି ଜିଲ୍ଲାରେ ତାଙ୍କର ଲୋକପ୍ରିୟତା ରହିଛି। ସଂଯୋଗ ବଶତଃ ଏହି ଜିଲ୍ଲାର ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ସୁଶାନ୍ତ ଓ ସ୍ନେହାଙ୍ଗିନୀ ଯଥାକ୍ରମେ ବରଗଡ଼ ଜିଲ୍ଲାର ଭଟ୍ଟଲି ଏବଂ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଡ଼ୋଶୀ ବିଜେପୁର ଆସନରୁ ଏଥର ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିିତା କରିଛନ୍ତି। ଏହି ଦୃଷ୍ଟିରୁ ଏଥର ଗଞ୍ଜାମ ଓ ବରଗଡ ଜିଲ୍ଲା ରାଜନୈତିକ ଗୁରୁତ୍ୱ ବହନ କରୁଛି।

ସମ୍ବନ୍ଧିତ ଖବର