ଏଡିଆର ରିପୋର୍ଟ : ୩ୟ ପର୍ଯ୍ୟାୟ ନିର୍ବାଚନରେ ୨୧% ଦାଗୀ ପ୍ରାର୍ଥୀ, ସମାଜବାଦୀ ପାର୍ଟିର ଅଧା ପ୍ରାର୍ଥୀଙ୍କ ନାଁରେ ମାମଲା

ଭୁବନେଶ୍ୱର: ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ୩ୟ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।

ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ସଂସ୍ଥା ପକ୍ଷରୁ ମୋଟ ୧୬୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୯୪ ଜଣ ପ୍ରାର୍ଥୀଙ୍କ ପ୍ରଦତ୍ତ ସତ୍ୟପାଠର ବିଶ୍ଳେଷଣ କରାଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ଏହି ୧୫୯୪ ଜଣଙ୍କ ମଧ୍ୟରୁ ୩୪୦ ଜଣ (୨୧%) ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୨୩୦ ଜଣ ପ୍ରାର୍ଥୀଙ୍କର ( ୧୪%) ଗୁରୁତର ଅପରାଧିକ ମାମଲା ରହିଛି । ଗୁରୁତର ଅପରାଧର ଅର୍ଥ ହେଉଛି ଯେଉଁ ମାମଲାଟି ଜାମିନ ବିହୀନ ହୋଇଥିବ ଓ ସେଥିରେ ୫ ବର୍ଷରୁ ଅଧିକ ଜେଲଦଣ୍ଡର ବ୍ୟବସ୍ଥା ଥିବ । ୧୪ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ସାବ୍ୟସ୍ତ ହୋଇଛି ।
ଅପରାଧ କ୍ଷେତ୍ରରେ ସବୁଠାରୁ ଆଗୁଆ ଅଛି ସମାଜବାଦୀ ପାର୍ଟି । ଏହାର ଅଧା ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହି ଦଳର ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି କଂଗ୍ରେସର ୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ ଅର୍ଥାତ ( ୪୪ %)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଶିବସେନାର ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ବିଜେପିର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣ ( ୩୯%)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷରେ ମୋଟ ୧୫୯୪ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୩୯୨ ଜଣ ବା ୨୫ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ସମ୍ବନ୍ଧିତ ଖବର