ପ୍ରଭୁ ଶ୍ରୀରାମଙ୍କ ଶରଣରେ ପ୍ରିୟଙ୍କା-ରାହୁଲ: ବାମରେ ଭାଇ, ଡାହାଣରେ ଭଉଣୀ; ପୋଷ୍ଟର୍‌ ଭାଇରାଲ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶିବ ଭକ୍ତି ପରେ ଏବେ ଚର୍ଚ୍ଚା ପାଲଟିଛି ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ରାମ ଭକ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଅଯୋଧ୍ୟା ଯିବା କଥା ଘୋଷଣା କରିବା ପରେ  ହିଁ ଦେଖିବାକୁ ମିଳିଛି ମଝିରେ ରାମଙ୍କ ଫଟୋ ସହ ଉଭୟ ଭାଇଭଉଣୀଙ୍କ ଚିତ୍ର ଥିବା ଏକ ପୋଷ୍ଟର୍‌। ଶ୍ରୀରାମ ଚନ୍ଦ୍ରଙ୍କ ଡାହାଣ ପାର୍ଶ୍ୱରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି ପ୍ରିୟଙ୍କା ଓ ବାମ ପାର୍ଶ୍ୱରେ ରାହୁଲ।

ପ୍ରିୟଙ୍କା ଅଯୋଧ୍ୟା ଯିବେ ବୋଲି ଘୋଷଣା କରିବା ପରେ ତାଙ୍କୁ ଥଟ୍ଟା କରିଛନ୍ତି ୟୁପିର ମନ୍ତ୍ରୀ ମୋହସିନ ରାଜା। ସେ ପ୍ରିୟଙ୍କାଙ୍କ ଉଦେଶ୍ୟରେ କହିଛନ୍ତି, ‘ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ ସେମାନେ ଏବେ ଅଯୋଧ୍ୟା ଯାଉଛନ୍ତି!’

India Today

ଗତ ଫେବ୍ରୁଆରିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ରାମ ଅବତାରର ଏକ ପୋଷ୍ଟର୍‌ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶର ଭୋପାଳଠାରେ ନିଜର ନିର୍ବାଚନ ପ୍ରଚାର ସମୟରେ ଏହି ପୋଷ୍ଟର୍‌ ଦେଖିବାକୁ ମିଳିଥିଲା। ରାହୁଲ ରାମ ସାଜିଥିବା ପୋଷ୍ଟର୍‌ରେ ରାବଣ ଅବତାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପସ୍ଥାପନ କରାଯାଇଥିଲା।

ସେହିପରି ରାହୁଲ ଆଉ ଏକ ପୋଷ୍ଟର୍‌ରେ ନିଜକୁ ରାମ ଭାବେ ଦର୍ଶାଇ ଲେଖିଥିଲେ, ‘ସେ ରାମ ରାମ ଜପ କରନ୍ତୁ। ମୁଁ ରାମ ହୋଇ ବଞ୍ଚିବି।’ ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଆସନ୍ତା ୨୭ ତାରିଖରୁ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ସେ ତାଙ୍କ ପ୍ରଚାର କାଳରେ ଆମେଥି, ରାଏବରେଲି ଓ ବାରାବାଙ୍କି ଗସ୍ତ କରିବେ।

ସମ୍ବନ୍ଧିତ ଖବର