ବିଜେଡିର ଅବଶିଷ୍ଟ ବିଧାନସଭା ଆସନ ପାଇଁ କସରତ: ନବୀନ ନିବାସରେ ଆକାଶ ଦାସ ନାୟକ ଓ ରବି ନାରାୟଣ ପାଣି

ଭୁବନେଶ୍ୱର: ବିଜେଡିର ଅବଶିଷ୍ଟ ବିଧାନସଭା ଆସନ ପାଇଁ ନବୀନ ନିବାସରେ କସରତ ଚାଲିଛି । ରବିବାର ଅପରାହ୍ନରେ ବିଜେଡି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ଏହା ପୂର୍ବରୁ ନବୀନ ନିବାସରେ ନେତା ପହଞ୍ଚିଛନ୍ତି। ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ରବି ନାରାୟଣ ପାଣି ନବୀନ ନିବାସ ଆସିଥିଲେ ।

ସେପଟେ ମହେଶ୍ୱର କହିଛନ୍ତି ପୁରୀରେ କାମ କରିବନି ହିନ୍ଦୁତ୍ୱ ଫର୍ମୁଲା । ସେ ଆହୁରି କହିଛନ୍ତି, ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କୁ ପୁରୀବାସୀ ଦୃଢ଼ ପ୍ରତିବାଦ କରିବେ । ନିର୍ବାଚନରେ କୌଣସି ପ୍ରକାର ଧର୍ମୀୟ ରାଜନୀତି ହେବା ଉଚିତ ନୁହେଁ । ତେଣୁ ବିଜେପି ଏଭଳି କୁପ୍ରକୃତି ଚିନ୍ତାଧାରାରୁ ନିବୃତ ରହୁ ବୋଲି ମହେଶ୍ୱର କହିଛନ୍ତି ।

ସମ୍ବିତ ପାତ୍ର ପୁରୀରେ ଶଙ୍ଖ ଫୁଟୁ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହେଶ୍ୱର ଏବଂ କହିଛନ୍ତି, ସେ ଯଦି ନିଜେ କହୁଛନ୍ତି ପୁରୀ ଭଳି ଧର୍ମୀୟ ସ୍ଥାନରେ ‘ପଦ୍ମ’ ବଦଳରେ ‘ଶଙ୍ଖ’ ଫୁଟୁ ତେବେ ପୁରୀରେ ନିଶ୍ଚୟ ‘ଶଙ୍ଖ’ ଫୁଟିବ। ପୁରୀବାସୀ ଦୀର୍ଘ ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ତେଣୁ ପୁଣି ପୁରୀରେ ବିଜେଡି ବହୁମାତ୍ରାରେ ବିଜୟ ହେବେ ବୋଲି କହିଛନ୍ତି ପୁରୀ ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି ।

ସମ୍ବନ୍ଧିତ ଖବର