ଅଯୋଧ୍ୟା : ରାମମନ୍ଦିର ନିର୍ମାଣ ସ୍ଥାନରେ ଖନନ ବେଳେ ମିଳିଲା ପୁରାତନ ମନ୍ଦିରର ଅବଶେଷ

ଅଯୋଧ୍ୟା : ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଗତ ମେ ୧୧ ତାରିଖରୁ ଭୂମି ସମତଳ କାମ ଆରମ୍ଭ ହୋଇଛି । ତେବେ ଏହି କାମ ଚାଲିଥିବେଳେ ଖନନରୁ ଏପରି କେତେକ ସାମଗ୍ରୀ ଆବିଷ୍କୃତ ହୋଇଛି ଯାହାକି ଆପାତତଃ ଦର୍ଶାଉଛି ଯେ ଅଯୋଧ୍ୟାରେ ବିବାଦୀୟ ସ୍ଥାନରେ ପୂର୍ବରୁ ଏକ ବୃହତ ମନ୍ଦିର ଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂପୃକ୍ତ ସ୍ଥାନରୁ ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ, ଏକ ୫ ଫୁଟ ଲମ୍ବ ଶିବଲିଙ୍ଗ, ୧୩ଟି ପ୍ରସ୍ତର ସ୍ତମ୍ଭ, ବିଭିନ୍ନ ଦେବଦେବୀଙ୍କ ଭଗ୍ନ ମୂର୍ତ୍ତି , କଳସ ଆଦି ମିଳିଛି । ଏ ସଂପର୍କରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଏଥିରୁ ଜଣାପଡ଼ୁଛି ଯେ ସେହି ସ୍ଥାନରେ ଏକ ମନ୍ଦିର ଥିଲା ।


ଭାରତୀୟ ପ୍ରନିତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ କେ.କେ. ମହମ୍ମଦ ମଧ୍ୟ ନିଜର ପୂର୍ବ ଖନନ ବେଳେ ସେଠାରେ ଏକ ମନ୍ଦିରର ଅବଶେଷ ମିଳିଥିବା ରିପୋର୍ଟ ଦେଇଥିଲେ । ଗତ ବର୍ଷ ଅଯୋଧ୍ୟା ମାମଲାର ରାୟ ଶୁଣାଇବାବେଳେ ଏହି ରିପୋର୍ଟକୁ ସୁପ୍ରିମକୋର୍ଟ ବିଚାରକୁ ନେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ। ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୁଦ୍ଧରେ ପ୍ରାୟ ୪୮ଟି ପୁନର୍ବିଚାର ମାମଲା ଦାଏର ହୋଇଥିଲା । ତେବେ ସୁପ୍ରିମ କୋର୍ଟ ଏଗୁଡ଼ିକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର