ନିର୍ବାଚନ ପୂର୍ବରୁ ହିଁ ଅରୁଣାଚଳ ପ୍ରଦେଶରେ ୩ଟି ବିଧାନସଭା ଆସନ ଜିତି ସାରିଲାଣି ବିଜେପି

ଇଟାନଗର : ଆଗାମୀ ନିର୍ବାଚନ ପାଇଁ ଦେଶ ସବୁ ରାଜନୈତିକ ଦଳଙ୍କ ମଧ୍ୟରେ ତଣ୍ଟି କଟା ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନ ଆହୁରି କିଛି ସପ୍ତାହ ଥିବାବେଳେ ଅରୁଣାଚଳ ପ୍ରଦେଶରେ ବିଜେପିର ତିନିଜଣ ବିଧାନସଭା ପ୍ରାର୍ଥୀ ବିଜୟୀ ହୋଇସାରିଲେଣି । ଏହି ତିନି ଜଣଙ୍କ ମଧ୍ୟରେ ରହିଛନ୍ତି କେଣ୍ଟୋ ଜିନି । ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ଆଲୋ ଇଷ୍ଟ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଏହା ପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଥିଲା ୨୫ ମାର୍ଚ୍ଚ । କିନ୍ତୁ ଏହି ତାରିଖ ସୁଦ୍ଧା କେବଳ ତାଙ୍କର ହିଁ ମନୋନୟନ ପତ୍ର ବୈଧ ଥିଲା ।

ଏଣୁ ନିର୍ବାଚନ ଆୟୋଗ ତାଙ୍କୁ ନିର୍ବିରୋଧ ବିଜୟୀ ଘୋଷିତ କରିଛନ୍ତି । ଆଉ ଜଣେ ହେଉଛନ୍ତି ସୁବନସିରି ଜିଲ୍ଲାର ୟାଚୁଲି ଆସନର ତବା ତେଦିର ଓ ଦିରାଂ ସିଟର ଫୁର୍ବା ସେରିଂ । ଏସବୁ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ଅନ ଦଳର ପ୍ରାର୍ଥୀମାନେ ତ୍ରୁଟିପୂର୍ଣ୍ଣ ମନୋନୟନ ପତ୍ର ଦାଖଲ କରିଥିବାରୁ ତାହା ନାକଚ ହୋଇଯାଇଛି । ଫଳରେ ବିଜେପିର ଏହି ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଆଲୋ ଇଷ୍ଟ ପାଇଁ କଂଗ୍ରେସ ପ୍ରାର୍ଥୀ ମିନକିର ଲୋଲେନ ପିତାଙ୍କ ନାମ ଲେଖିବା ସ୍ଥାନରେ ଗାଁ ଠିକଣା ଲେଖି ଦେଇଥିଲେ । ଫଳରେ ତାଙ୍କର ମନୋନୟନ ପତ୍ର ନାକଚ ହୋଇଯାଇଛି ।

ଆଗାମୀ ସାଧାରଣ ନିର୍ବାଚନ ସହିତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେଉଛି । ଏହି ରାଜ୍ୟରେ ମୋଟ ୬୦ଟି ବିଧାନସଭା ଆସନ ରହିଛି । ରାଜ୍ୟରେ ଏପ୍ରିଲ ୧୧ରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧିତ ଖବର