କରୋନା ସଂକ୍ରମଣ ରୋକିବାକୁ କିଛି ଶାଖା ବନ୍ଦ ରଖିବାକୁ ବ୍ୟାଙ୍କମାନଙ୍କ ଯୋଜନା

ନୂଆଦିଲ୍ଲୀ : ଦେଶବ୍ୟାପୀ ଘୋଷିତ ୨୧ ଦିନିଆ ଲକଡାଉନ ସମୟରେ ସରକାର ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗ ଓ ସଂସ୍ଥାଗୁଡ଼ିକୁ ଏଥିରୁ ଛାଡ଼ କରିଛନ୍ତି । ଏହା ମଧ୍ୟରେ ବ୍ୟାଙ୍କ ସେବା ଅନ୍ୟତମ । ତେବେ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ସଂକ୍ରମଣ ହେବାର ଭୟ ଥିବାରୁ  ବ୍ୟାଙ୍କମାନେ ନିଜର ଅଧିକାଂଶ ଶାଖା ବନ୍ଦ ରଖିବାକୁ ବିଚାର କରୁଛନ୍ତି । ଅଳ୍ପକିଛି ଜରୁରୀ ଶାଖାକୁ ଛାଡ଼ିଦେଲେ ଅନ୍ୟ ଶାଖାଗୁଡ଼ିକୁ ବନ୍ଦ କରିବାକୁ ବିଚାର କରାଯାଉଛି । ତେବେ ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

ଯୋଜନା ଅନୁସାରେ ସହରାଞ୍ଚଳରେ ପ୍ରତି ୫ କିଲୋମିଟ ଦୂରତାରେ ଗୋଟିଏ ବ୍ୟାଙ୍କ ଶାଖା ଖୋଲା ରହିବ । ସେହିପରି ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ସଂଖ୍ୟା କମ ଥିବାରୁ ପ୍ରତି ଦୁଇଦିନରେ ଥରେ ବ୍ୟାଙ୍କ ଖୋଲିବ ଓ କେବଳ ସରକାରଙ୍କ ଦ୍ୱାରା ଘୋଷିତ ସହାୟତା ଅର୍ଥ ଆବଣ୍ଟନ କାର୍ଯ୍ୟକରିବ । ଯେଉଁ ଲୋକମାନେ ଡିଜିଟାଲ କାରବାର ସଂପର୍କରେ ଜାଣିନାହାନ୍ତି, ସେମାନଙ୍କୁ ମୁଖ୍ୟତଃ ବ୍ୟାଙ୍କ ସେବା ଯୋଗାଇଦିଆଯିବ ।
ସରକାର ଗୁରୁବାରଦିନ ଦେଶର ଗରିବ ଲୋକମାନଙ୍କ ପାଇଁ କେତେକ ସହାୟତା ମୂଳକ ଯୋଜନା ଘୋଷଣା କରିଛନ୍ତି । ଏହା ମଧ୍ୟରେ ନଗଦ ଅର୍ଥ ପ୍ରେରଣ ମଧ୍ୟ ଅନ୍ତର୍ଭୁକ୍ତ । ଏଣୁ ଲୋକମାନେ ଏହି ଅର୍ଥ ଉଠାଣ ପାଇଁ ବ୍ୟାଙ୍କରେ ଭିଡ଼ ଜମାଇବାର ସମ୍ଭାବନା ଥିବାରୁ ତାହାର ମୁକାବିଲା ପାଇଁ ବ୍ୟାଙ୍କମାନେ ଏବେ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ସମ୍ବନ୍ଧିତ ଖବର