କଟକ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ଭର୍ତ୍ତୃହରି ମହତାବ, ପ୍ରକାଶ ମିଶ୍ର ଓ ପଞ୍ଚାନନ କାନୁନଗୋ

କଟକ: କଟକ ଲୋକସଭା ଆସନରେ ଏଥର ଜୋରଦାର ଲଢେଇ ହେବ । ବିଜେଡି ଏଠାରୁ ଷଷ୍ଠ ଥର ଲାଗି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଛି।  ଭର୍ତ୍ତୃହରି ବୁଧବାର ଦଳୀୟ ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା  ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ତଥା ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ଭର୍ତ୍ତୃହରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭର୍ତ୍ତୃହରିଙ୍କ ବିରୋଧରେ ବିଜେପିରୁ ପ୍ରାକ୍ତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରିଛି।

ସେହିପରି କଟକ-ଚୌଦ୍ୱାର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌଭିକ ବିଶ୍ୱାଳ । ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି କର୍ମକର୍ତାଙ୍କ ସହ ରାଲିରେ ସେ ଆଜି ପ୍ରାର୍ଥୀପତ୍ର ଭରିଥିଲେ । ବରିଷ୍ଠ ଆଇପିଏସ ପ୍ରକାଶ ମିଶ୍ର ଗତ କିଛିଦିନ ତଳେ ବିଜେପିରେ ମିଶିବା ପରେ କଟକ ଲୋକସଭା ପାଇଁ ଦଳ ତାଙ୍କୁ ଟିକେଟ ଦେଇଛି ।

ସେହିପରି କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଂଚାନନ କାନୁନଗୋ । ସେ ଗତ ଜାନୁଆରୀରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ କଟକରୁ ତାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଗତଥର ଏଠାରୁ କଂଗ୍ରେସ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ସେ ତୃତୀୟ ସ୍ଥାନରେ ଥିଲେ ।

ସମ୍ବନ୍ଧିତ ଖବର