ପୁରୁଣାଗଡ଼କୁ ଫେରିଲେ ବିଜୟ ମହାପାତ୍ର; ପୁଣି ପାଟକୁରାରେ ହେବ ବେଦୁ-ବିଜୟ ମୁକାବିଲା

ଭୁବନେଶ୍ୱର (ସୁବ୍ରତ ଦାସ): ନିକଟରେ ଭାରତୀୟ ଜନତା ପାର୍ଟିକୁ ଫେରିଥିବା ଉପକୂଳ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ନିଜର ପୁରୁଣା ଗଡ଼ ପାଟକୁରାକୁ ଫେରିଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ତାଙ୍କ ବିପକ୍ଷରେ ଲଢୁଛନ୍ତି ବିଜୁ ଜନତା ଦଳର ଟାଣୁଆ ନେତା ଓ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଓ୍ଵାଲ।

ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜୟ କହିଛନ୍ତି, ଦଳ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ମୁଁ ନିର୍ବାହ କରିବି। ପାଟକୁରା ମୋ ଜନ୍ମଭୂମି ଓ ମହାକାଳପଡ଼ା ମୋ କର୍ମଭୂମି। ଦୁଇ ସ୍ଥାନରେ ମୋର ସଂଗଠନ ରହିଛି। ତେବେ ଦଳ ଯେଉଁଠାରୁ ଟକେଟ ଦେଇଛି ସେଠାରୁ ଲଢ଼ିବି।

ଗତ ୨୦୧୪ ବିଧାନସଭା ନିର୍ବାଚନରେ ସେ ମହାକାଳପଡ଼ା ବିଧାନସଭା ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଲଢି ୨୩,୨୪୬ ଭୋଟ ବ୍ୟବଧାନରେ ହାରିଥିଲେ । ଶ୍ରୀ ନାୟକ ୮୧,୦୫୦ ଭୋଟ ପାଇଥିବା ବେଳେ ଶ୍ରୀ ମହାପାତ୍ର ପାଇଥିିଲେ ୫୭,୮୦୪ ଖଣ୍ଡ ଭୋଟ ପାଇଥିଲେ।

୧୯୮୦ ମସିହାରୁ ଲଗାତାର ୪ ଥର ପାଟକୁରା ଆସନରୁ ଜିତିଥିବା ବିଜୟ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ଏବଂ ବିଜୁ ଜନତା ଦଳ ଗଠନରେ ତାଙ୍କର ଏକ ପ୍ରଭାବଶାଳୀ ଭୂମିକା ଥିଲା। ତେବେ, ୨୦୦୦ ବିଧାନସଭା ନିର୍ବାଚନରେ ତାଙ୍କର ଟିକେଟ ଅତି ନାଟକୀୟ ଭାବେ କଟି ଯାଇଥିଲା। ତାଙ୍କ ବଦଳରେ ବିଜୁ ଜନତା ଦଳ ସାମ୍ବାଦିକରୁ ନେତା ବନିଥିବା ଅତନୁ ସବ୍ୟସାଚୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ଶ୍ରୀ ମହାପାତ୍ର ସମର୍ଥନ କରିଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରା ଅତନୁଙ୍କୁ ହରାଇ ଦେଇଥିଲେ।

ତେବେ ୨୦୦୪ ବିଧାନସଭା ନିର୍ବାଚନରେ ଶ୍ରୀ ମହାପାତ୍ର ପୁଣି ପାଟକୁରା ଆସନରୁ ଓଡ଼ିଶା ଗଣ ପରିଷଦ ଟିକେଟରେ ଅତନୁଙ୍କ ବିରୋଧରେ ଲଢି ହାରି ଯାଇଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିିତା କରିଥିଲା। ଏଠାରେ ସେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲାଙ୍କ ଠାରୁ ପରାଜିତ ହୋଇଥିଲେ।

ତେବେ ୨୦୧୪ରେ ମହାକାଳପଡ଼ାରୁ ବିଜେପି ପ୍ରାର୍ଥୀ ହୋଇ ବିଜୟ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅତନୁଙ୍କଠାରୁ ହାରି ଯାଇଥିଲେ।

ଶ୍ରୀ ମହାପାତ୍ର ଗତ ନଭେମ୍ବର ୩୦ ତାରିଖରେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପରେ ସେ କେଉଁ ଦଳରୁ ଏଥର ନିର୍ବାଚନ ଲଢିବେ ସେଥିିନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ତେବେ ଗତ ସପ୍ତାହରେ ସେ ଭାରତୀୟ ଜନତା ପାର୍ଟିକୁ ଫେରି ଆସିବା ପରେ ସେ ଏଥର ବିଜେପି ଟିକେଟରେ ନିର୍ବାଚନ ଲଢିବେ ବୋଲି ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର