ଧର୍ମେନ୍ଦ୍ରଙ୍କୁ ବିଜେଡିର ୩ଟି ପ୍ରଶ୍ନ: ବ୍ୟାପମ, କୋଇଲା ଦୁର୍ନୀତି ଏବଂ ଟିଟୋ ସହ ସଂପୃକ୍ତି ନେଇ ସ୍ଥିତି ସ୍ପଷ୍ଟ କର

ଭୁବନେଶ୍ୱର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛି ବିଜେଡି। ତିନୋଟି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛି ବିଜେଡି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ୩ଟି ପ୍ରଶ୍ନ କରିଛନ୍ତି  ଓ ଯାହାର ଉତ୍ତର ସେ ରଖନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ।

ବିଜେଡିର ପ୍ରଥମ ପ୍ରଶ୍ନ ରହିଛି କି, ବ୍ୟାପମ ଦୁର୍ନୀତି ସହିତ ଧର୍ମେନ୍ଦ୍ରଙ୍କର କି ପ୍ରକାର ଆପରାଧିକ ସଂପର୍କ ରହିଛି ତାହା ପ୍ରଥମେ ସେ ସ୍ପଷ୍ଟ କରନ୍ତୁ। ସୁଧିର ଶର୍ମା ନାମକ ଜଣେ ବ୍ୟକ୍ତି, ଯାହାଙ୍କୁ ବ୍ୟାପମ ଦୁର୍ନୀତିର ମୁଖ୍ୟ ଖଳନାୟକ ବୋଲି କୁହାଯାଏ । ତା’ ପାଖରୁ ଯେତେବେଳେ କିଛି ଦସ୍ତାବିଜ ଧରା ପଡିଲା, ସେଥିରୁ ଜଣାପଡିଥିଲା କି ସେ କାଳେ ଧର୍ମେନ୍ଦ୍ରଙ୍କୁ ପ୍ଲେନ୍‌ ଟିକେଟ କିଣି ଆଣି ଦେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ଧର୍ମେନ୍ଦ୍ର ସ୍ପଷ୍ଟ କରି ପାରିଲେ ନାହିଁ କି ସୁଧିର ଶର୍ମାଙ୍କ ଟଙ୍କା ସହିତ ତାଙ୍କର ସଂପର୍କ ଥିଲା ନା ନାହିଁ। ଏ ବିଷୟରେ ପାର୍ଲାମେଂଟରେ ବି  ଉଠିଥିଲା । କିନ୍ତୁ ଧର୍ମେନ୍ଦ୍ର ମୁହଁ ଲୁଚାଇଥିଲେ । ଏପରିକି ତାଙ୍କର ଇସ୍ତଫା ମଧ୍ୟ ଦାବି କରାଯାଇଥିଲା । ୫ ବର୍ଷ ବିତିଗଲା ହେଲେ ଧର୍ମେନ୍ଦ୍ର ପ୍ରଧାନ କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି।


ସେହିପରି ଦ୍ୱିତୀୟ ପ୍ରଶ୍ନ ହେଲା, କୋଇଲା ଦୁର୍ନୀତି ସହିତ ଧର୍ମେନ୍ଦ୍ରଙ୍କ କି ପ୍ରକାର ସଂପର୍କ ରହିଛି ତାହା ମଧ୍ୟ ସେ ସ୍ପଷ୍ଟ କରନ୍ତୁ । ଯିଏ କୋଇଲା ମନ୍ତ୍ରାଳୟର ସଚିବ ଥିଲେ, ସେ ୨୦୧୪ରେ ଏକ ବହି ଲେଖିଥିଲେ । ଯାହାକି ତାଙ୍କର ନିଜ ଜୀବନୀ ଉପରେ ଆଧାରିତ । ସେଥିରେ ସେ ଉଲ୍ଲେଖ କରିଥିଲେ କି, ଧର୍ମେନ୍ଦ୍ର ପ୍ରଧାନ କିଭଳି ଭାବରେ ୨୦୦୫ରେ ତାଙ୍କୁ ଧମକାଇ ଥିଲେ କି ମହାନଦୀର କୋଲ ଫିଲ୍‌ଡ ଅଧିନରେ ଯେଉଁ କୋଇଲା ଖଣି ରହିଛି ରହିଛି ତାକୁ ସେ କିଛି ଘରୋଇ କଂପାନିଙ୍କୁ ସରକାରୀ ରେଟରେ ଆବଣ୍ଟନ କରନ୍ତୁ । ତେବେ ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ କି, ଘରୋଇ କଂପାନି ଯେଉଁମାନେ କି ଶସ୍ତାରେ ମହାନଦୀ କୋଲ ଫିଲ୍‌ଡ କୋଇଲା ନେବାକୁ ଚାହୁଁଥିଲେ ତାହା ବେଆଇନ । ସେମାନଙ୍କୁ ସେ କାହିଁକି ସୁବିଧା ଯୋଗାଇଦେବାକୁ ଚାହୁଁଥିଲେ ଏବଂ କଂପାନିମାନଙ୍କ ପାଖରୁ ତାଙ୍କର କି ପ୍ରାପ୍ୟ ପାଇବାକୁ ଥିଲା, ଯେଉଁଥିପାଇଁ ସେ ଏ ପ୍ରକାର କାର୍ଯ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ।

ତୃତୀୟ ପ୍ରଶ୍ନ ହେଲା, ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ଗ୍ୟାଙ୍ଗଷ୍ଟାର ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରା ଯାଇଥିଲା ।  ପରବର୍ତ୍ତୀ ସମୟରେ ଯେତେବେଳେ ଏକଥା ସାମନାକୁ ଆସିଥିଲା ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ତଦନ୍ତର ବାହାନା କରିଥିଲେ । ବର୍ଷେ ହେଲା ସିବିଆଇ ତଦନ୍ତ ଚାଲିଛି ହେଲେ ଆଜି ପର୍ଯ୍ୟନ୍ତ ବିଜେପି କି ଧର୍ମେନ୍ଦ୍ର କି ସିବିଆଇ କି ଆଇଓସିଏଲ ପଦୁଟିଏ ବି କହିଲେନି। ଏହାପଛର ରହସ୍ୟ କ’ଣ ।

ସମ୍ବନ୍ଧିତ ଖବର