ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ : ‘କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ’

ଭୁବନେଶ୍ବର: ପୁଣି ବିଜେଡି ଟାର୍ଗେଟରେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି ବିଜେଡି । ବିଜେଡି କହିବା ମୁତାବକ, ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ବୈଜୟନ୍ତ ପଣ୍ଡା । କାରଣ, ବୈଜୟନ୍ତ ଇମ୍ଫାର ଭାଇସ୍ ଚେୟାରମ୍ୟାନ୍ ଥିବାବେଳେ କମ୍ପାନିରୁ  ଟଙ୍କା ନେଇଛନ୍ତି । ବୈଜୟନ୍ତ ୨ କୋଟିରୁ ଅଧିକ ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ବାରମ୍ବାର ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୋଲି କହିଛି ବିଜେଡି। ବୈଜୟନ୍ତଙ୍କ ସତ୍ୟପାଠରେ ହୋଇଥିବା ଖୁଲାସାକୁ ନେଇ ବିଜେପି କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ କରିଛି ବିଜେଡି । ଏପରିକି ବିଜେପିର ଏ ନେଇ ମୁହଁ ନଖୋଲିବା ଡ଼ବଲ୍ ‘ବି’ ଅର୍ଥାତ୍ ବୈଜୟନ୍ତ ଓ ବିଜେପି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଛନ୍ତି ବୋଲି କହି କଡ଼ା ସମାଲୋଚନା କରିଛି ବିଜେଡି ।

ଅନ୍ୟପଟେ ଆସନ୍ତା ୨୯ ତାରିଖ ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମତଦାନ ହେବ । କିନ୍ତୁ ଏହାରି ମଧ୍ୟରେ ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ବିଜେଡି କରିଥିବା ଖୁଲାସା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।  ଏହାକୁ ମଧ୍ୟ ବୈଜୟନ୍ତଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର