ନବ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ନବ କିଶୋର ଦାସ ମରୁଡି ନଥିଲେ ବି ଆମେ ମରୁଡି ଘୋଷଣା କରିଦେବୁ ଆଉ ମରୁଡି ପାଇଁ ଚାଷୀମାନଙ୍କୁ କ୍ଷତିପୂରଣ ଦେବୁ ବୋଲି କହି ଭୋଟରମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି । ଗତ ୦୩ ତାରିଖରେ ଦାସ ବମରା ବ୍ଲକର ତରାଇ ଗାଁରେ ଏକ ସାଧାରଣ ସଭାରେ କହଥିଲେ ଯେ ସମ୍ବଲପୁରରେ ନଳନୀ ପ୍ରଧାନ ଏବଂ ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କୁ ଜିତାଇଲେ ଏହି ପାଚାଂୟତରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦୁଇଟି ଲେଖାଏଁ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ଭୋଟରମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିର୍ବାଚନରେ ଶାସକ ଦଳ ସପକ୍ଷରେ ପ୍ରଭାବିତ କରିବାକୁ ଅପଚେଷ୍ଟା କରୁଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ଉପ ସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ଦାବି ପ୍ରଦାନ କରିଛି । ନବ ଦାସ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରି ଭୋଟରଙ୍କୁ ଅନୁଚିତ ପ୍ରଭାବ ପକାଇଥିବାରୁ ତାଙ୍କୁ ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୧୮୬୦ ୧୭୧(ବି), ୧୭୧(ଇ), ୧୭୧(ସି) ଏବଂ ୧୭୧(ଏଫ୍‌) ଅନୁସାରେ ଦଣ୍ଡିତ କରାଯିବା ଦରକାର। ଏହି ଭାଷଣର ଏକ ଭିଡିଓକୁ ପ୍ରମାଣ ଆକାରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି।

ଏହି ଘଟଣାକୁ ପୁଲିସକୁ ହସ୍ତାନ୍ତର କରି ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଉ ଏବଂ ଆସନ୍ତା ନିର୍ବାଚନରେ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସୂର୍ଯ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର