ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୮% ପ୍ରତିଶତ ମହିଳାଙ୍କୁ ଟିକେଟ୍

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ୧୦ଟି ଲୋକସଭା ଆସନ ଏବଂ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ବିଜେପିରେ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ଆଜି ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ବିଧାନସଭା ଆସନ ପାଇଁ ମୋଟ ୧୦୦ ଜଣ ପ୍ରାର୍ଥୀଙ୍କର ନାଁ ଘୋଷଣା କରାଯାଇଥିବା ବେଳେ ସେଥିରେ ମାତ୍ର ୮ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ରହିଛି ।

ନିକଟରେ ବିଜେଡିରୁ ଇସ୍ତଫା ଦେଇ ଗତକାଲି ବିଜେପିରେ ସାମିଲ ହୋଇଥିବା କୁସୁମ ଟେଟେଙ୍କୁ ପ୍ରାର୍ଥୀ କରିଛି ଦଳ । କୁସୁମକୁ ସୁନ୍ଦରଗଡ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି । ସେହିପରି ପୁଣି ଥରେ ବ୍ରଜରାଜନଗରରୁ ନିର୍ବାଚନ ଲଢିବେ ରାଧାରାଣୀ ପଣ୍ଡା । ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡାଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଖଲ୍ଲିକୋଟ୍ ବିଧାନସଭା ଆସନ ପାଇଁ ଭାରତୀ ବେହେରା, ରଣପୁର ବିଧାନସଭା ଆସନ ପାଇଁ ସୁରମା ପାଢୀ, ନୟାଗଡ ବିଧାନସଭା ଆସନ ପାଇଁ ଇରାନୀ ରୟଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବ ଦଳ । ସେହିପରି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଅର୍ଚ୍ଚନା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଂଝାରପୁର ଆସନରୁ ବବିତା ମଲ୍ଲିକଙ୍କୁ ଟିକେଟ୍ ଦେଇଛି ଦଳ ।

ସମ୍ବନ୍ଧିତ ଖବର