ବିଜେପି ଜାଲରେ ଧରାପଡ଼ୁଛନ୍ତି ବିଜେଡି ଓ କଂଗ୍ରେସର ବଡ଼ମାଛ ! ଶଙ୍ଖ ଓ ହାତ ଅସନ୍ତୁଷ୍ଟଙ୍କୁ ଆପଣାଉଛି ପଦ୍ମ

ଭୁବନେଶ୍ୱର(ସୁବ୍ରତ ଦାସ) : ଭାରତୀୟ ଜନତା ପାର୍ଟି ଏବେ ନିଜର ବିଜୟ ସମ୍ଭାବନାକୁ ଅଧିକ ଉଜ୍ଜ୍ୱଳ କରିବା ପାଇଁ ଶାସକ ବିଜୁ ଜନତା ଦଳ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ଛାଡୁଥିବା ଅସନ୍ତୁଷ୍ଟ ନେତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ଦଳଛଡ଼ାଙ୍କ ଲାଗି ଏକ ଭଲ ବିକଳ୍ପ ଭାବେ ଉଭା ହୋଇଛି ବିଜେପି । ଅନ୍ୟ ପକ୍ଷରେ ଶାସକ ବିଜୁ ଜନତା ଦଳ ଆଜି ବିରୋଧୀ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡାଙ୍କୁ ନିଜ ଦଳକୁ ଆଣି ଏକ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛି।

ଗତ କେତେଦିନ ମଧ୍ୟରେ ଶାସକ ବିଜୁ ଜନତା ଦଳରୁ ଟିକେଟ ପାଇବାର ସମ୍ଭାବନା ନ ଦେଖି କେତେକ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନାମ ଉଲ୍ଲେଖଯୋଗ୍ୟ। ଶ୍ରୀ ମାଝୀ ଓ ଶ୍ରୀ ନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଥିବାର ଚର୍ଚ୍ଚା ହେଉଛି।

ସେହିପରି ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।

ପୂର୍ବରୁ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେଇ ସାରିଛନ୍ତି। ଏହିପରି ଭାବେ ଭାରତୀୟ ଜନତା ପାର୍ଟି ଅନ୍ୟ ଦଳରୁ ନେତାଙ୍କୁ ଗୋଟାଇବାରେ ଲାଗିଛି।

ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଆଜି ବିଜୁ ଜନତା ଦଳରେ ଯୋଗ ଦେଇ ତାଙ୍କ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛନ୍ତି। ‘ଦାଦା (ବସନ୍ତ ପଣ୍ଡା) ମାଟି ପାଇଁ ନୁହେଁ ପାର୍ଟି ଲାଗି କାମ କରୁଛନ୍ତି। ଭାରତୀୟ ଜନତା ପାର୍ଟି ଆଭ୍ୟନ୍ତରୀଣ ଗଣତନ୍ତ୍ରରେ ବିଶ୍ୱାସ ନ କରି ଏକଛତ୍ରବାଦୀ ଶୈଳୀରେ କାମ କରୁଛି। ସେଥିପାଇଁ ମୁଁ ଦଳ ଛାଡ଼ିଲି। ଆମେ ଆଗାମୀ ନିର୍ବାଚନରେ ବସନ୍ତ ପଣ୍ଡାଙ୍କୁ ହରାଇବୁ ’ ବୋଲି ହରିଶ୍ଚନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି।

ନିର୍ବାଚନରେ ବିଜୟ ସମ୍ଭାବନା ଥିବା ନେତାଙ୍କୁ ଅନ୍ୟ ଦଳରୁ ବିଜୁ ଜନତା ଦଳ ଶିକାର କରିବାରେ ଲାଗିଛି। ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସଙ୍କୁ ଦଳକୁ ଆଣିବା ସାଂଗକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ଦଳରେ ଗ୍ରହଣ କରାଯାଇଛି।

ସେହିପରି ଗତଥର ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ନୀଳଗିରିର ସୁଷମା ବିଶ୍ୱାଳ ଗତ କିଛି ଦିନ ତଳେ ଦଳରେ ଯୋଗ ଦେଇଛନ୍ତି। ଏହି ନେତାମାନେ ଏଥର ଦଳୀୟ ଟିକେଟ ପାଉଥିବା କଥା ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ। ପୂର୍ବରୁ ଦଳ ଛାଡ଼ି ଥିବା ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ବିଜୁ ଜନତା ଦଳକୁ ଫେରୁଥିବାର ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର