ବ୍ରାହ୍ମଣୀ ନଦୀ ସେତୁ ପ୍ରସଙ୍ଗରେ ନବୀନଙ୍କୁ ଗଡ଼କରୀଙ୍କ ଜବାବ: ଜଙ୍ଗଲ ଅନୁମତି ବ୍ୟବସ୍ଥା କର, ୭ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ ନେଇ ସୁନ୍ଦରଗଡ଼ର ବରିଷ୍ଠ ବିଜେଡି ନେତା ମଙ୍ଗଳା କିସାନଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ରାଜ୍ୟରେ ‘ସେତୁ’ ରାଜନୀତି  ଜୋର ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଳେଖିବା ପରେ ଏହାର ଜବାବ ଦେଇଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନିତିନ୍‌ ଗଡକରୀ।

ଶ୍ରୀ ଗଡ଼କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚାଲେଞ୍ଜ ଦେଇ କହିଛନ୍ତି,ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି । ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରୁ ଅନୁମତି ମିଳିନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରି ଜଙ୍ଗଲ ଅନୁମତିର ବ୍ୟବସ୍ଥା କରନ୍ତୁ। ଜଙ୍ଗଲ ଅନୁମତି ମିଳିବାର ମାତ୍ର ୭ ଦିନ ଭିତରେ କାମ ଆରମ୍ଭ କରାଯିବ। ଏପରିି କହି ଶ୍ରୀ ଗଡକରୀ ବ୍ରାହ୍ମଣ ନଦୀ ଦ୍ୱିତୀୟ ସେତୁ ପ୍ରସଙ୍ଗକୁ ଏକ ରୋଚକ ମୋଡ଼ରେ ପହଞ୍ଚାଇଛନ୍ତି।

ଗଡକରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବୈଧାନିକ ଅନୁମତି ମିଳି ନ ଥିବାରୁ କେବଳ ବ୍ରହ୍ମଣୀ ସେତୁ ନୁହେଁ ଆହୁରି ୩ଟି ସେତୁ କାମ ଆଗେଇ ପାରୁ ନାହିଁ। ବାସ୍ତବତାକୁ ଅନୁଧ୍ୟାନ ନ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଯୋଗୁଁ କାମରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଉଁ ଚିଠି ଲେଖିଛନ୍ତି ତାହା ତାଙ୍କୁ ବିସ୍ମିତ କରିଛି ବୋଲି ଶ୍ରୀ ଗଡ଼କରୀ ଜବାବରେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଶ୍ରୀ କିସାନଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିମଣ୍ଡଳିଙ୍କୁ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଆଉ ଥରେ ଚିଠି ଲେଖାଯିବ। ଯଦି କେନ୍ଦ୍ର ନ କରେ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏଭଳି ପ୍ରତିଶ୍ରୁତିର ଜବାବ ଦେଇ କେନ୍ଦ୍ର ପରିବହନ ମନ୍ତ୍ରୀ ଆଉ ପାଦେ ଆଗେଇ ଯାଇ କହିଛନ୍ତି, ବ୍ରାହ୍ମଣୀ ଉପରେ ଦୁଇ ଲେନ୍‌ ନୁହେଁ ୬ ଲେନ୍‌ ବିଶିଷ୍ଟ ସେତୁ ର୍ନିମାଣ କରାଯିବ।

ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଏହି ସେତୁ ପ୍ରସଙ୍ଗରେ ରାଉରକେଲା ବିଧାୟକ ତଥା ବିଜେପି ନେତା ଦିଲ୍ଲୀ ରାୟ କେନ୍ଦ୍ର ମନ୍ତ୍ରୀ ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ଅଭିମାନ କରିବା ସହିତ ଏ ନେଇ ଗତ ମାସରେ କେନ୍ଦ୍ର ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରିଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର