କ’ଣ ଅରୁଣାଚଳପ୍ରଦେଶକୁ ଅଧିକାର କରିବାକୁ ଗୋପନ ଯୋଜନା କରୁଛି ଚୀନ ?

ବେଜିଂ : ଗତ ବର୍ଷ ଡୋକଲାମରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଅବନତି ହୋଇଥିଲା । ଏହା ପରେ ଗତ ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗ ପିଂ ଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ସାକ୍ଷାତ ଅବସରରେ ଦୁଇ ଦେଶ ଉତ୍ତେଜନା ହ୍ରାସ କରି ସଂପର୍କକୁ ବଢାବା ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ଚୀନ କଣ ସତରେ ନିଜର ସାମ୍ରାଜ୍ୟବାଦୀ ଚିନ୍ତାଧାରା ଛାଡିପାରିବ, ତାହାକୁ ନେଇ ସଂଦେହ ରହିଛି ।

ହଂକଂ ସମ୍ବାଦପତ୍ର ସାଉଥ ଚାଇନା ମଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁସାରେ ଚୀନ ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଥିବା ଲୁଜ୍‌ ଗ୍ରାମରେ ସୁନା, ରୁପା ଓ ଅନ୍ୟକେତେକ ମୂଲ୍ୟବାନ ଧାତୁ ଗଚ୍ଛିତ ଥିବା ସନ୍ଧାନ ପାଇଛି । ଏହା ଫଳରେ ଚୀନ ଉକ୍ତ ଅଞ୍ଚଳରେ ଖଣି ଖନନ ପାଇଁ ନିଷ୍ପତ୍ତି ନେଇଛି । ଏପରି ହେଲେ ଭାରତର ଅରୁଣାଚଳ ପ୍ରଦେଶ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଚୀନ ଅରୁଣାଚଳକୁ ନିଜର ବୋଲି ଦାବି କରୁଛି । ଏହା ଦକ୍ଷିଣ ତିବ୍ଦତର ଅଂଶ ବୋଲି ଚୀନ କହୁଛି । ସୀମାରେ ଚୀନ ପକ୍ଷରୁ ଖଣି ଖନନ ହେଲେ ଉକ୍ତ ଅଂଚଳରେ ଜନସଂଖ୍ୟା ଓ ବିଭିନ୍ନ କାର୍ଯ୍ୟକଳାପ ବଢିବ । ଏହି ମୌକାରେ ଚୀନ ଅରୁଣାଚଳ ଉପରେ ମଧ୍ୟ ନିଜର ଦାବିକୁ ଆହୁରି ତୀବ୍ର କରିବ । ଏପରି ହେଲେ ଦକ୍ଷିଣ ଚୀନ ସାଗର ପରି ଦକ୍ଷିଣ ତିବ୍ଦତ ଉପରେ ମଧ୍ୟ ଚୀନ ନିଜର ଆଧିପତ୍ୟ ଜାହିର କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର