‘ମୋଦି’ ଚଳଚ୍ଚିତ୍ର ପରେ ‘ମୋଦି’ ଓ୍ବେବସିରିଜ୍‌କୁ କଂଗ୍ରେସର ବିରୋଧ, ପ୍ରସାରଣ ବନ୍ଦ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ : ମୋଦିଙ୍କ ଜୀବନକାହାଣୀ ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ପିଏମ ନରେନ୍ଦ୍ର ମୋଦି’ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ନିର୍ବାଚନ ଆୟୋଗ ଏହାର ପ୍ରଦର୍ଶନ ଉପରେ ରୋକ ଲଗାଇଛନ୍ତି । ଏଥିପାଇଁ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ସମାନ କାହାଣୀକୁ ନେଇ ନିର୍ମିତ ଏକ େଓ୍ଵବ ସିରିଜ ଏବେ ଇରୋଜ ନାଓରେ ପ୍ରଦର୍ଶିତ ହେଉଛି । ଏହାର ନାଁ ରହିଛି ‘ମୋଦି : ଜର୍ଣ୍ଣି ଅଫ ଏକ କମନ ମ୍ୟାନ’ ( ମୋଦି : ଜଣେ ସାଧାରଣ ବ୍ୟକ୍ତିଙ୍କ କାହାଣୀ ) ।

ତେବେ ଏହା ବିରୋଧରେ ବି କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି େଓ୍ଵବ ସିରିଜର ଉଦ୍ଦେଶ୍ୟ ହେଉଛି ନିର୍ବାଚନ ସମୟରେ ଲୋକମାନଙ୍କୁ ପ୍ରଭାବିତ କରିବା । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି । ଇତି ମଧ୍ୟରେ ଏହାର ୫ଟି ଏପିସୋଡର ପ୍ରସାରଣ ହୋଇସାରିଲାଣି ।

କିନ୍ତୁ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଏହି େଓ୍ଵବ ସିରିଜର ପ୍ରସାରଣ କରାଯାଉଥିବା କଥାକୁ ଅସ୍ୱୀକାର କରିଛନ୍ତି ଏହାର ନିର୍ଦ୍ଦେଶକ ଉମେଶ ଶୁକ୍ଳା । ସେ କହିଛନ୍ତି ଯେ ଏହି   ଓ୍ବେବ ସିରିଜଟି ଗତ ୧୦-୧୨ ମାସ ତଳେ ଯୋଜନା କରାଯାଇଥିଲା । ଏହାକୁ ଆହୁରି ପୂର୍ବରୁ ପ୍ରସାରଣ କରିବାର ଯୋଜନା ଥିଲା । କିନ୍ତୁ କେତେକ ବୈଷୟିକ ତ୍ରୁଟି ଯୋଗୁଁ ପ୍ରସାରଣରେ କିଛି ବିଳମ୍ବ ହୋଇଥିଲା ।

ସମ୍ବନ୍ଧିତ ଖବର