ଏଥର ଜଟଣୀରେ ବଡ଼ ରାଲି କି ସମାବେଶ କରିବେ ନାହିଁ ସୁର, ପ୍ରଚାର ଖର୍ଚ୍ଚକୁ କମାଇ ଓଡ଼ିଆ ସହିଦ ପରିବାରକୁ କରିବେ ସାହାଯ୍ୟ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଜଟଣୀ ଆସନରେ ମଇଦାନକୁ ଓହ୍ଲାଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବଡ ନିଷ୍ପତ୍ତି ନେଇଛନ୍ତି।

ଆଗାମୀ ନିର୍ବାଚନରେ ଜଟଣୀ ଠାରେ କୌଣସି ନିର୍ବାଚନୀ ସଭା କରିବନି କଂଗ୍ରେସ । ଏହା ସହ ଯେତିକି ଆବଶ୍ୟକ, ସେତିକି ବ୍ୟାନର ଓ ପୋଷ୍ଟର ଲଗାଯିବ । ବଡ ଧରଣର କୌଣସି କାର୍ଯ୍ୟକ୍ରମ କିମ୍ବା ନିର୍ବାଚନୀ ରାଲି କରାଯିବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି, ଏହି ସବୁ ନିର୍ବାଚନୀ ପ୍ରଚାରରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା, ସେହି ଟଙ୍କାରୁ କିଛି ଅଂଶ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ଦିଆଯିବ ବୋଲି ସେ କହିଛନ୍ତି । ଏହା ସହ ଜଟଣୀଠାରେ ଏକ ରିଲିଫ ଫଣ୍ଡ କରାଯାଇଛି । ଯାହା ଫଳରେ ଜଟଣୀ ନିର୍ବାଚନ ମଣ୍ଡଳୀରେ କୌଣସି ଦୁର୍ଘଟଣା ଘଟିଲେ, ଘରପୋଡି ହେଲେ କିମ୍ବା କୌଣସି କ୍ଷୟକ୍ଷତି ହେଲେ, ଉକ୍ତ ବ୍ୟକ୍ତିଙ୍କୁ ଏହି ରିଲିଫ ଫଣ୍ଡରୁ ସହାୟତା ପ୍ରଦାନ କରାଯିବ

ଗୋଟିଏ ବିଜେଡି ସୁପ୍ରିମୋ ହାଇଟେକ୍‌ ପ୍ରଚାର କରୁଥିବା ବେଳେ, ଅନ୍ୟପଟେ ବିଜେପି ମଧ୍ୟ ଜୋରଦାର ପ୍ରଚାର କରୁଛି । ଏହା ସତ୍ତ୍ୱେ ମଧ୍ୟ ଜଟଣୀରେ କଂଗ୍ରେସ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ଜଟଣୀରେ ନିର୍ବାଚନ ମଣ୍ଡଳୀରେ ନବୀନ ପଟ୍ଟନାୟକ କିମ୍ବା ନରେନ୍ଦ୍ର ମୋଦିଙ୍କର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୫୦ ବର୍ଷ ଧରି ସେ ଏହି ନିର୍ବାଚନ ମଣ୍ଡଳୀରେ କାମ କରି ଆସୁଥିବାରୁ ଜନସାଧାରଣ ତାଙ୍କ ଉପରେ ଭରସା କରିବେ ଏବଂ ସେ ନିଶ୍ଚିତ ଭାବରେ ବିଜୟ ଲାଭ କରିବେ । ତେବେ ରାଜ୍ୟରେ ବିଜେଡିର ହାଇଟେକ୍‌ ପ୍ରଚାର ଚାଲିଥିବା ବେଳେ, ସେପଟେ ବିଜେପି ମଧ୍ୟ ଜୋରଦାର କ୍ୟାମ୍ପେନ୍‌ କରୁଛି । ଆଉ ଏହାରି ଭିତରେ ସୁର ରାଉତରାୟଙ୍କ ଏଭଳି ନିଷ୍ପତ୍ତି କେତେଦୂର ତାଙ୍କୁ ସହାୟକ ହେଉଛି, ତାହା ସମୟ ହିଁ କହିବ ।

ସମ୍ବନ୍ଧିତ ଖବର