କଂଗ୍ରେସ କ୍ଷମତାକୁ ଆସିଲେ ସର୍ଜିକାଲ୍‌ ଷ୍ଟ୍ରାଇକ କରିବ; ପାକିସ୍ତାନରେ ନୁହେଁ, ଦାରିଦ୍ର୍ୟ ଉପରେ: ରାହୁଲ୍‌ ଗାନ୍ଧି

ଭୁବନେଶ୍ୱର: କଂଗ୍ରେସ କ୍ଷମତାକୁ ଆସିଲେ ୫ କୋଟି ଗରିବଙ୍କ ବ୍ୟାଙ୍କ ଖାତାରେ ମାସକୁ ୬ ହଜାର ଟଙ୍କା ଲେଖାଏଁ ନ୍ୟାୟ ଯୋଜନାରେ ଜମା କରାଯିବ ଏବଂ ବେକାର ଯୁବକ-ଯୁବତୀ କର୍ମନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ମାସିକ ୩ ହଜାର ଟଙ୍କା ଲେଖାଏଁ ବେକାରୀ ଭତ୍ତା ପାଇବ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି। ଏଥିସହ ସେ ଦୃଢ଼ୋକ୍ତି କରିଛନ୍ତି କି କଂଗ୍ରେସର ଏହି ପଦକ୍ଷେପ ଦାରିଦ୍ର୍ୟ ବିରୋଧରେ ସର୍ଜିକାଲ୍‌ ଷ୍ଟ୍ରାଇକ ହେବ।

ଆଜି ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣାଠାରେ ଏକ ବିଶାଳ ନିର୍ବାଚନୀ ପ୍ରଚାର ସଭାରେ ଉଦ୍‌ବୋଧନ ଦେଇ ରାହୁଲ କହିଲେ ଯେ, ‘ନ୍ୟାୟ ଯୋଜନା’ଲାଗି ଅର୍ଥ ଯୋଗାଡ କରିବାକୁ ମଧ୍ୟବିତ୍ତ ଶ୍ରେଣୀ ପକେଟରୁ ଗୋଟିଏ ପଇସା କାଟିବେ ନାହିଁ। ଏଥିପାଇଁ ଦେଶକୁ ଲୁଟ୍‌ କରିଥିବା ଅନୀଲ ଅମ୍ବାନୀ,ବିଜୟ ମାଲ୍ୟା,ନରେନ୍ଦ୍ର ମୋଦୀ,ଲଳିତ ମୋଦୀ ପ୍ରମୁଖଙ୍କଠାରୁ ଆଦାୟ କରାଯିବ।

ତାଙ୍କ ଦଳ ଚଳିତ ନିର୍ବାଚନରେ କ୍ଷମତାକୁ ଆସିଲେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏକ ନୂଆ ଆଇନ ପ୍ରଣୟନ କରାଯିବ ଏବଂ କୃଷି ଲାଗି ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରାଯିବ। ଏହି ଆଇନ ଅନୁସାରେ ଋଣ ଶୁଝିପାରୁ ନଥିବା ଚାଷୀ ବିରୋଧରେ ମାମଲା ହେବ ନାହିଁ। ଓଡ଼ିଶାର ଚାଷୀମାନଙ୍କୁ ଧାନ ପାଇଁ କୁଇଣ୍ଟାଲ ପିଛା ୨୬୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ।

ବର୍ତ୍ତମାନ ଓଡ଼ିଶାର ଚାଷୀ ଧାନ ବିକିଲେ କୁଇଣ୍ଟାଲ୍‌ ପିଛା ୧୨୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପାଉଥିବା ବେଳେ ପଡ଼ୋଶୀ ଛତିଶଗଡ଼ରେ ୨୫୦୦ ଟଙ୍କା ପାଉଛନ୍ତି ବୋଲି ସେ କହିଥିଲେ।

କଂଗ୍ରେସ ସରକାରକୁ ଆସିଲେ କୃଷି ଋଣ ଛାଡ଼ କରାଯିବ ବୋଲି ତାଙ୍କର ପ୍ରତିଶ୍ରୁତି ଦୋହରାଇ ରାହୁଲ କହିଲେ ଯେ,ତାଙ୍କ ଦଳ ଛତିଶଗଡ଼ ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଠନର ଦୁଇ ଦିନ ମଧ୍ୟରେ କୃଷି ଋଣ ଛାଡ କରିଛି।

ବେକାରୀ ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି ବୋଲି କଂଗ୍ରେସ ସଭାପତି ପ୍ରକାଶ କରି କହିଲେ ଯେ, ମୋଦୀ ସରକାର ଅମଳରେ ୨୨ ଲକ୍ଷ ସରକାରୀ ଚାକିରି ଖାଲି ପଡ଼ିଛି। କଂଗ୍ରେସ କ୍ଷମତାକୁ ଆସିବାର ୧ ବର୍ଷ ମଧ୍ୟରେ ଏହି ଚାକିରି ବେକାରଙ୍କୁ ଦେବା ସଂଗେ ସଂଗେ ୧୦ ଲକ୍ଷ ବେକାର ଯୁବକଯୁବତୀଙ୍କୁ ପଞ୍ଚାୟତରେ ନିଯୁକ୍ତି ଦେବ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ରାହୁଲ ଗାନ୍ଧୀ ଯୁବକମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛନ୍ତି। ଦେଶରେ ପରିବର୍ତ୍ତନ ଆଣିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର