କରୋନା ମହାମାରୀ ଯୋଗୁଁ ବିଶ୍ୱର ୧୧ ନିୟୁତ ଲୋକ ଗରିବ ହୋଇଯିବେ : ବିଶ୍ୱବ୍ୟାଙ୍କ ରିପୋର୍ଟ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଶ୍ୱ ଅର୍ଥନୀତି ଏକ ବଡ଼ ଧରଣର ସଂକଟ ଆଡ଼କୁ ଠେଲିହୋଇଯିବା ଆଶଙ୍କା ଦେଖାଦେଇଛି । ବିଶ୍ୱ ବ୍ୟାଙ୍କର ଆକଳନ ଅନୁସାରେ ବିଶ୍ୱର ପ୍ରମୁଖ ଅର୍ଥନୀତି ଯଥା ଆମେରିକା, ଚୀନ ଆଦି କ୍ଷତିଗ୍ରସ୍ତ ହେବେ ।
ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତ୍ୟ ମାଟ୍ଟୁ କହିଛନ୍ତି ଯେ ଏହି ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଧରଣର ଧକ୍କା ସଦୃସ ହେବ । ବିଶ୍ୱ ଏକ ବୃହତ ମାନ୍ଦାବସ୍ଥାକୁ ଠେଲିହୋଇଯିବ । ବିଶ୍ୱର ଗରିବ ଓ ବିକାଶଶୀଳ ଦେଶମାନଙ୍କରେ ବଡ଼ ଧରଣର ମାନବୀୟ ସଂକଟ ସୃଷ୍ଟି ହେବ । ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଆସିଯିବେ ।
ସେ କହିଛନ୍ତି ଯେ ଚୀନର ଅର୍ଥନୈତିକ ଅଭିବୃଦ୍ଧି ୨.୩ ପ୍ରତିଶତକୁ ହ୍ରାସ ପାଇବ ଯାହାକି ୨୦୧୯ରେ ୬.୧ ପ୍ରତିଶତ ଥିଲା । ମାତ୍ର ଦୁଇମାସ ତଳେ ବିଶ୍ୱ ବ୍ୟାଙ୍କ ଅଟକଳ କରିଥିଲା ଯେ ଏ ବର୍ଷ ଚୀନର ଅଭିବୃଦ୍ଧି ୫.୭ ପ୍ରତିଶତ ରହିବ । କିନ୍ତୁ ଏବେ ତାହାକୁ ୨.୩ ପ୍ରତିଶତକୁ ହ୍ରାସ କରିଦେଇଛି । ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୭୮୧୫ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର