ହସ୍ପିଟାଲ୍‌ ଝରକା ଦେଇ ସିନେମା ‌ଶୈଳୀରେ ଖସି ପଳାଇଲେ କୋଭିଡ୍‌-୧୯ ଆକ୍ରାନ୍ତ

ନୋଇଡ଼ା: ନିଜାମୁଦ୍ଦିନର ମରକଜ ଜମାତରେ ହୋଇଥିବା ମୁସ୍‌ଲମାନମାନଙ୍କର ଗଣ ସମବେଶରୁ ଧରା ହୋଇ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ କ୍ବାରେଣ୍ଟାଇନ୍‌ରେ ଥିବା ନେପାଳର ଜଣେ ନାଗରିକ ଉତ୍ତରପ୍ରଦେଶର ବାଘପଟଠାରେ ଥିବା ଏକ ସରକାରୀ ହସ୍ପିଟାଲ୍‌ରୁ ଚଳଚ୍ଚିତ୍ର ଶୈଳୀରେ ଖସି ପଳାଇଛନ୍ତି। ବ୍ୟକ୍ତି ଜଣକ ସୋମବାର ରାତିରେ ଏପରି କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି। ସେ ହସ୍ପିଟାଲ୍‌କୁ ଖସି ପଳାଇବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଛି। ୟୁପି ପୁଲିସ୍‌ ତାଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଛି।

ହସ୍ପିଟାଲ୍‌ର ସିଏମ୍‌ଓ ଆର୍‌କେ ଟଣ୍ଡନ୍‌ଙ୍କ ମୁତାବକ, କ୍ବାରାଣ୍ଟାଇାନ୍‌ରେ ଥିବା ୬୦ ବର୍ଷିଅ ଏହି କରୋନା ପଜିଟିଭ୍‌ ବ୍ୟକ୍ତି ଜଣକ ହସ୍ପିଟାଲ୍‌ର ଝରକା ବାଟ ଦେଇ ‌ନିଜର ବେଡ୍‌ସିଟ୍‌ ଓ କପଡ଼ାକୁ ଯୋଡ଼ି ତଳୁ ଖସି ପଳାଇଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ତାଙ୍କୁ ଖୋଜିବା ପାଇଁ ପାଖ ଗ୍ରାମମାନଙ୍କରେ ତଲାସୀ ଅଭି‌ଯାନ ଆରମ୍ଭ କରିଛି। ତେବେ ରୋଗୀ ଜଣକ ଖସି ପଳାଇବା ପରେ ଆର୍‌କେ ଟଣ୍ଡନ୍‌ କହନ୍ତି କି ସେ ଜଣେ ଭଲ ବ୍ୟକ୍ତି ଥିଲେ। ହସ୍ପିଟାଲ୍‌ରେ କେବେ କାହାକୁ ଅସୁବିଧାରେ ପକାଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ହରିଆଣାର ଏକ ହସ୍ପିଟାଲ୍‌ରେ ୫୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ ଉଦ୍ୟମ କରିଥିଲେ। ସେ  ହସ୍ପିଟାଲ୍‌ ଝରକା ଦେଇ ତଳକୁ ଖସିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସେହି ସମୟରେ ନିଜ ଉପରୁ ଆୟତ୍ତ ହରାଇ ବସିବାରୁ ତଳକୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର