ଫୋକସରେ ଦେଓମାଳି: ବିକାଶ ପାଇଁ ହେବ ବ୍ଲୁ ପ୍ରିଣ୍ଟ,୨୫ରେ ଉଚ୍ଚସ୍ତରୀୟ ବୈଠକ

କୋରାପୁଟ: ଦେଓମାଳି ପାଇବ ନୂଆ ରୂପ। ଏଠାରେ ଭିତ୍ତିଭୂମିର ବିକାଶ କରାଯାଇ ଏହାକୁ ଏକ ସବୁଦିନିଆ ପର୍ଯ୍ୟଟନ କେନ୍ଦ୍ର‌ରେ ପରିଣତ କରାଯିବ। ଏଥିପାଇଁ ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ ବସୁଛି। ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭାଗୀୟ ସଚିବଙ୍କ ସମେତ ଇକୋ-ଟୁରିଜିମ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଖୋଦ ପର୍ଯ୍ୟଟନ ମନ୍ତ୍ରୀଙ୍କ ଏହି ସୂଚନା ଦେବା ପରେ ଅବହେଳିତ ଦେଓମାଳିର ବିକାଶ ପାଇଁ ସମ୍ଭାବନା ସୃଷ୍ଟି ହୋଇଛି।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କୋରାପୁଟ ଗସ୍ତରେ ଆସି ଏଠାକାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଛନ୍ତି। ମନ୍ତ୍ରୀ ଗୁପ୍ତେଶ୍ୱର, ଦେଓମାଳି, ନନ୍ଦପୁରର ବତ୍ରିଶ ସିଂହାସନ, ସୁବାଇର ଜୈନ ମନ୍ଦିର, କୋରାପୁଟର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା‌ ପରେ କୋରାପୁଟ ଜିଲ୍ଲା ପୃଥିବୀ ପୃଷ୍ଠରେ ସ୍ବର୍ଗ ବୋଲି କହିଛନ୍ତି। ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି ଯେ, ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ବିଶେଷକରି ଦେଓମାଳିର ବିକାଶକୁ ଫୋକସରେ ରଖାଯାଇଛି। ଏଠାରେ ଭିତ୍ତିଭୂମିର ବିକାଶ କରିବାକୁ ପ୍ରାଥମିକତା ଦିଆଯିବ। ଦେଓମାଳିକୁ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ। ଏଠାରେ ଇକୋ-ଟୁରିଜିମ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି। ସେହିପରି ଜିଲ୍ଲାର ଅନ୍ୟ ପର୍ଯ୍ୟଟନ କେନ୍ଦ୍ରଗୁଡିକ ମଧ୍ୟ ପର୍ଯ୍ୟଟକଙ୍କୁ ଟାଣିବାର କ୍ଷମତ‌ା ରଖିଛି। ଏଣୁ ଜିଲ୍ଳାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନିହାତି ଆବଶ୍ୟକ। ପର୍ଯ୍ୟଟନର ବିକାଶ ପାଇଁ ଜନସାଧାରଣ ଓ ଲୋକ ପ୍ରତିନିଧିମାନଙ୍କ ଆଗ୍ରହ ରହିବା ଦରକାର। ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସେ କୋରାପୁଟ ପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ସୂଚନା ଦେଇଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ କୋରାପୁଟ ଜିଲ୍ଲା ପର୍ଯ୍ୟଟନ ନୂଆ ଦିଶା ପାଇବ ବୋଲି ଅନୁମାନ କରାଯାଉଛି। ଦେଓମାଳିରେ ଇ‌କୋ ଟୁରିଜିମର ବିକାଶ ପାଇଁ ସୁଯୋଗ ରହିଥିବାରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। କିନ୍ତୁ ଭିତ୍ତିଭୂମିର ଅଭାବ ରହିଛି। ଜିଲ୍ଲାର ଅନ୍ୟ ପର୍ଯ୍ୟଟନ କେନ୍ଦ୍ରଗୁଡିକର ମଧ୍ୟ ସମାନ ଅବସ୍ଥା। ଏଭଳି ସ୍ଥିତିରେ ମନ୍ତ୍ରୀ ନିଜେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ଉଦ୍ୟମ କରିବେ ବୋଲି କହିବା ପରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗୀ ବିଧାୟକ ପୀତମ ପାଢୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ପ୍ରମୁଖ  ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର