କେବଳ ମୋଦିଙ୍କୁ ଗାଳି ଦେବା ଛଡ଼ା ପ୍ରଚାର ପାଇଁ ନବୀନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଓଡ଼ିଶାରେ ପଞ୍ଚମ ଥର ପାଇଁ ସରକାର ଗଢିବାକୁ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଜାରି ରଖିଥିବା ବେଳେ ଅନ୍ୟପଟେ ନବୀନଙ୍କ ଭାଷଣରେ ବାରମ୍ବାର କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ବିରୋଧ କରିଛି ବିଜେପି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ବିରୋଧ କରି କହିଛନ୍ତି,  ବିଜେଡି ପାଖରେ ବିଷୟ ନାହିଁ, ପ୍ରସଙ୍ଗ ନାହିଁ । ଏକ ପ୍ରସଙ୍ଗ ବିହୀନ ନିର୍ବାଚନ ନବୀନ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ୫ ବର୍ଷର ଉପଲବ୍ଧିର କଥା ନାହିଁ । କେବଳ ମୋଦିଙ୍କୁ ଗାଳି ଦେବା ଛଡା ପ୍ରଚାର କରିବା ପାଇଁ ନବୀନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ।

କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ରହିଛି କି, ଓଡିଶାରେ ବର୍ତ୍ତମାନ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ମହିଳାଙ୍କ ସୁରକ୍ଷାର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଛି କିନ୍ତୁ ନବୀନବାବୁ ଏସବୁ ଦେଖି ମଧ୍ୟ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୨୪ରୁ ମୁଖ୍ୟମନ୍ତ୍ରୀ ଓଡିଶାରେ ଔପଚାରିକ ଭାବରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କଲେଣି । ଏନେଇ ୨୦ ଦିନ ମଧ୍ୟ ବିତି ଗଲାଣି ହେଁ ନବୀନବାବୁ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ଓ  ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ବିଜୁ ଜନତା ଦଳ ତଥା ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା ଓ  କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚାଇବା ଛଡା ବିଜେଡି ନିକଟରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ ।

ସମ୍ବନ୍ଧିତ ଖବର