ଆରକେ ନଗର ଉପନିର୍ବାଚନ: ଆମ୍ମାଙ୍କ ଆସନରେ ଜିତିଲେ ଦିନାକରନ୍‌

ଦ୍ୱିତୀୟରେ ଏଆଇଡିଏମ୍‌କେ ପ୍ରାର୍ଥୀଙ୍କୁ ୪୭,୧୧୫ଖଣ୍ଡ ଭୋଟ, ୩ୟରେ ଡିଏମ୍‌କେ

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇର ଡାକ୍ତର ରାଧାକୃଷ୍ଣ ନଗର ଉପନିର୍ବାଚନରେ ଟିଟିଭି ଦିନାକରନ୍‌ ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶାସକ ଏଆଇଡିଏମ୍‌କେକୁ କଡ଼ା ଜବାବ ଦେଇ ଦିନାକରଣ ୪୦,୭୦୭ ଭୋଟ ବ୍ୟବଧାନରେ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ନିର୍ବାଚନ ପ୍ରଚାର ଫିକା ପଡ଼ଯାଇଛି। ମତଦାତା ସ୍ୱାଧୀନ ପ୍ରାର୍ଥୀ ଦିନାକରନ୍‌ଙ୍କ ଉପରେ ଭରସା ରଖିଛନ୍ତି। କୁଇନ୍ସ ମେରି କଲେଜରେ ରବିବାର ମତଦାନ ଗଣତିର ୧୮ ରାଉଣ୍ଡରେ ଦିନାକରନ୍‌ଙ୍କୁ ବିଜୟୀ ଘୋଷଣା କରାଯାଇଛି। ଭୋଟ ଗଣତି ବେଳେ ପାଖାପାଖି ୫୦୦ ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲା।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତା ତଥା ଆମ୍ମାଙ୍କ ମୃତ୍ୟୁ ପରେ ଆରକେ ନଗର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବିଧାୟକ ପଦ ଖାଲି ଥିଲା। ଏହି ଗୋଟିଏ ବର୍ଷ ମଧ୍ୟରେ ତାମିଲନାଡୁ ରାଜନୀତିରେ ଅନେକ ଉତଥାନ ଓ ପତ୍ତନ ଦେଖିବାକୁ ମିଳିଛି। ଅନେକ ବିବାଦ ଦେଖାଯାଇଛି। ଉପନିର୍ବାଚନରେ ଏଆଇଡିଏମକେ ପ୍ରାର୍ଥୀ ଇ ମଧୁସୂଦନନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଡିଏମ୍‌କେ ନେତା ଏନ୍‌ ମାରୁଡୁ ଗଣେଶ ୩ୟ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ ଆରକେ ନଗର ବିଧାନସଭା ଉପନିର୍ବାଚନ ପାଇଁ ଗତ ଡିସେମ୍ବର ୨୧ରେ ମତଦାନ ହୋଇଥିଲେ। ଏଥିରେ ୧,୭୬,୮୮୫ ମତଦାତା ନିଜର ଅଧିକାର ସାବ୍ୟସ୍ତ କରିଥିଲେ। ଭୋଟ ଗଣତିର ୧୮ତମ ରାଉଣ୍ଡରେ ୨,୬୦୨ ଖଣ୍ଡ ଭେଟ ପାଇଥିଲେ ଦିନାକରନ୍‌। ସେ ସମୁଦାୟ ୮୬,୪୭୨ ଖଣ୍ଡ ଭୋଟ ପାଇଛନ୍ତି। ଏଆଇଡିଏମ୍‌କେ ପ୍ରାର୍ଥୀଙ୍କୁ ୪୭,୧୧୫ଖଣ୍ଡ ଭୋଟ ମିଳିଛି।

ସମ୍ବନ୍ଧିତ ଖବର