ଦିଲ୍ଲୀପଙ୍କ ବିଜେଡି ବାହୁଡ଼ା ଏକପ୍ରକାର ସ୍ପଷ୍ଟ; ଖୁବ୍‌ ଶୀଘ୍ର ଦଳକୁ ଫେରି ଦେଇପାରନ୍ତି

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି ସବୁ ଉତ୍କଣ୍ଠାର ଅବସାନ ଘଟାଇ ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ଦେଇଛନ୍ତି। ସେ ଶନିବାର ସଂଧ୍ୟା ୭ ଟା ୨୦ ମିନିଟ୍‌ରେ ଏକ ଧଳା ରଂଗର କାର୍‌ରେ ନବୀନ ନିବାସରେ ପହଞ୍ଚଥିଲେ ଓ ପାଖାପାଖି ଅଧଘଣ୍ଟା ଧରି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରୁଦ୍ଧଦ୍ୱାର ଆଲୋଚନା କରିଥିବା ସୂଚନା ମିଳିଛି। ଏହାପରେ ଦିଲ୍ଳୀପ ନବୀନ ନିବାସରୁ ଫେରି ଯାଇଥିଲେ। ମୋଟାମୋଟି ଦିଲ୍ଳୀପ ବିଜୁ ଜନତା ଦଳରେ ଆସନ୍ତାକାଲି ଯୋଗ ଦେବେ ବୋଲି ବିଜେଡିର ଅନ୍ଦର ମହଲରୁ ପ୍ରକାଶ।

ଗତ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ହୋଟେଲ ବ୍ୟବସାୟୀ ଶ୍ରୀ ରାୟ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇ ଥିଲେ। ତାଙ୍କୁ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ବିଭାଗର ଦାୟିତ୍ୱ ଦିଆଯାଇଥିଲା। ପରେ ଶ୍ରୀ ରାୟ ୧୯୯୬ ଏବଂ ୨୦୦୨ ମସିହାରେ ରାଜ୍ୟସଭାକୁ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳ ଗଠନରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଏବଂ ସେ କେନ୍ଦ୍ରରେ ବାଜପେୟୀ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଗ ଦେଇ କୋଇଲା,ଇସ୍ପାତ,ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଓ ପଶୁ ସଂପଦ ମନ୍ତ୍ରାଳୟ ପ୍ରଭୃତିର ଦାୟିତ୍ୱରେ ଥିଲେ। ତେବେ ପରବର୍ତ୍ତୀ କାଳରେ ଦଳର ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଥିଲା।

ଶ୍ରୀ ରାୟ ଦୀର୍ଘ ୧୭ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ନବୀନ ନିବାସ ଆସିଥିବାର ଜଣାଯାଏ। ୨୦୦୨ ମସିହାରେ ସେ ବାଜପେୟୀ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିଲେ। ଏହି ସରକାରରେ ବିଜୁ ଜନତା ଦଳ ଅଂଶୀଦାର ଥିଲା। ପରେ ପରେ ନବୀନ ଓ ଦିଲ୍ଲୀପଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ଏବଂ ସେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିଲେ। ତା’ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

୨୦୧୪ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ଟିକଟରେ ରାଉରକେଲା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ର ସଂପ୍ରସାରଣରେ ବିଳମ୍ବ ନେଇ ସେ ଭାରତୀୟ ଜନତା ପାର୍ଟିଠାରୁ ଧୀରେ ଧୀରେ ଦୂରେଇ ଯାଇଥିଲେ। ଶେଷରେ ସେ ଗତବର୍ଷ ନଭେମ୍ବର ୩୦ ତାରିଖରେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତା’ ପର ଠାରୁ ଶ୍ରୀ ରାୟ ବିଜୁ ଜନତା ଦଳକୁ ଫେରି ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ତାଙ୍କର ସମର୍ଥକଙ୍କ ସହ ଗତ କାଲି ଦିନ ସାରା ବୈଠକ ଚାଲିଥିଲା ବୋଲି ‘‘ସମ୍ବାଦ’’ରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର