ନିର୍ବାଚନ ଭିତରେ ରିଲିଜ୍‌ ହୋଇପାରିବ ନାହିଁ ମୋଦୀଙ୍କ ବାୟୋପିକ୍‌, ସୁପ୍ରିମ୍‌କୋର୍ଟରୁ ଫେରି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ରିଲିଜ୍‌ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ୍‌ ୧୧ରେ ରିଲିଜ୍‌ ହେବାକୁ ଥିବା ମୋଦୀଙ୍କ ବାୟୋପିକ୍‌ ପ୍ରଦର୍ଶନ ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ।

ନିର୍ବାଚନ କମିସନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ କୌଣସି ରାଜନେତାଙ୍କ ଜୀବନ କାହାଣୀ କିମ୍ବା ତାଙ୍କ ବ୍ୟକ୍ତିତ୍ୱକୁ ପ୍ରତିପାଦନ କରିବା ପରି କିଛି ବି ନିର୍ବାଚନ ଭିତରେ ପରଦାରେ ଦୃଶ୍ୟମାନ କରାଯିବ ନାହିଁ। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି।

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଟ(ସିବିଏଫ୍‌ସି) ବିବେକ ଓବରାଏଙ୍କ ଅଭିନୀତ ମୋଦୀଙ୍କ ବାୟୋପିକ୍‌ର ପ୍ରଦର୍ଶନୀକୁ ନେଇ ସବୁଜ ସଂକେତ ଦେବା ଦିନ ହିଁ ନିର୍ବାଚନ କମିସନ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୋଦୀଙ୍କ ବାୟୋପିକ୍‌ର ପ୍ରଦର୍ଶନୀକୁ ବିରୋଧ କରି କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମ୍‌କୋର୍ଟ କଂଗ୍ରେସର ଆବେଦନକୁ ଖାରଜ କରି ନିର୍ବାଚନ କମିସନଙ୍କ ନିକଟକୁ ଏହି ମାମଲା ନେଇ ଯିବାକୁ ପରାମର୍ଶ ଦେଇଥିଲେ। କଂଗ୍ରେସ ନିର୍ବାଚନ କମିସନଙ୍କ ନିକଟରେ ଗୁହାରୀ କରିବା ପରେ ନିର୍ବାଚନ କମିସନ ଶେଷରେ ମୋଦୀଙ୍କ ବାୟୋପିକ୍‌ ପ୍ରଦର୍ଶନକୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅଟକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର