ସମୀକ୍ଷା ବୈଠକ: ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ସୁଚାରୁ ରୁପେ ସଂପନ୍ନ କରିବା ସହ ପରିଚାଳନା ପ୍ରସ୍ତୁତି ନିମନ୍ତେ ନିର୍ବାଚନ କମିସନର ଗୁରୁବାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ବାଚନ ସଂକ୍ରାନ୍ତୀୟ ସଂକ୍ଷିପ୍ତ ଅଭିଭାଷଣ ଦେଲା ପରେ ନିର୍ବାଚନ କମିସନର ଜିଲ୍ଲାଓ୍ଵାରୀ ସମୀକ୍ଷା କରିଥିଲେ। ପ୍ରଥମ ଥର ପାଇଁ ଆସନ୍ତା ନିର୍ବାଚନରେ ଇଭିଏମ ସହ ଭିଭିପ୍ୟାଟ୍‌ର ବ୍ୟବହାର ହେବାକୁ ଥିବାରୁ ଏଥି ପ୍ରତି ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ନିମନ୍ତେ ମକ୍‌ପୁଲିଙ୍ଗ ଆୟୋଜନ ଅୟୋଜନ କରିବା ଓ କମିସନଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାରେ ଭୋଟ ଗ୍ରହଣ ନିମନ୍ତେ ଇଭିଏମ ଓ ଭିଭିପ୍ୟାଟ୍‌ ଗଚ୍ଛିତ ରଖିବା ଉପରେ ଧ୍ୟାନ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଅବକାରୀ ବିଭାଗ ଜରିଆରେ ମଦ ତିଆରି ଭାଟିରେ ଚଢ଼ାଉ ସହ ମଦ ଜବତ କରିବା, ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ନିକଟରୁ ବନ୍ଧୁକ ଫେରସ୍ତ ଆଣିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଦାଗି ଅପରାଧୀମାନଙ୍କ ବିରୁଦ୍ଧରେ ଥିବା ଜାମିନବିହୀନ ପରଓ୍ଵାନ୍‌କୁ କାର୍ଯ୍ୟକାରୀ କରି ଅପରାଧୀମାନଙ୍କୁ ଗିରଫ କରି ତୁରନ୍ତ ଜେଲରେ ରଖିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ନକ୍ସଲ ଉପଦ୍ରବ ଏବଂ ରାଜ୍ୟ ସୀମାରେ ଥବା ବୁଥମାନଙ୍କରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିବା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ନିର୍ବାଚନ କମିସନଙ୍କ ତରଫରୁ ନିର୍ବାଚନ କମିସନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ସବୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ରାଜସ୍ୱ କମିସନର ଏବଂ ଉପ-ଆରକ୍ଷୀ ମହାନିରୀକ୍ଷକ ମାନଙ୍କୁ ନେଇ ହୋଟେଲ ମେ ଫେୟାର ଠାରେ ଗୁରୁବାର ଏକ ସମୀକ୍ଷା ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର