ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିବାର ସୌଭାଗ୍ୟ ବର୍ତ୍ତମାନ ସୁଦ୍ଧା କେବଳ ତିନିଜଣ ଓଡ଼ିଆଙ୍କ ଭାଗ୍ୟରେ ଜୁଟିଛି। ସଂଯୋଗବଶତଃ ଏମାନଙ୍କ ଭିତରୁ ଦୁଇଜଣ ଗୋଟିଏ ପରିବାରରଏବଂ ସେ ଦୁଇଜଣଙ୍କ ବାପା ଭିନ୍ନଭିନ୍ନ ସମୟରେ ଓଡ଼ିଶା ବିଧାନସଭାର ବିଧାୟକ ରହିଛନ୍ତି ଦୁଇ ଦୁଇଥର।
Sambad is now on WhatsApp
Join and get latest news updates delivered to you via WhatsApp
୨୫ ସେପ୍ଟେଟର ୧୯୯୦ରେ ସୁପ୍ରିମକୋର୍ଟର ୨୧ ତମ ପ୍ରଧାନ ବିଚାରପତି ରୂପେ ଦାୟିତ୍ଵ ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ନ୍ୟାୟମୂର୍ତ୍ତିି ରଙ୍ଗନାଥ ମିଶ୍ର ୨୪ ନଭେମ୍ବର ୧୯୯୧ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ। ତାଙ୍କ ବାପା ପଣ୍ଡିତ ଗୋଦାବରୀଶ ମିଶ୍ର ଓଡ଼ିଶାର ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ଵ। ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଗୋଦାବରୀଶ ଓଡ଼ିଶାରେ କଂଗ୍ରେସ ଦଳର ଅନ୍ୟତମ ପ୍ରାଣପ୍ରତିଷ୍ଠାତା। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଅନୁଷ୍ଠିତ ୧୯୩୭ ବିଧାନସଭା ନିର୍ବାଚନରେ ସେ ପଶ୍ଚିମ-ଖୋର୍ଦ୍ଧା ଜେନେରାଲ ଆସନରୁ ନିର୍ବାଚିତ ହୋଇଆସିଥିଲେଏବଂ ୧୯୪୧ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୃହ, ଶିକ୍ଷା, ଅର୍ଥ ଓ ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ। ଦେଶ ସ୍ୱାଧୀନ ହେବାପରେ ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ପୁଣିଥରେ ବାଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ।
ପଣ୍ଡିତ ଗୋଦାବରୀଶ ଓ ପନୀ ଅମ୍ବିକା ଦେବୀଙ୍କ କୋଳମଣ୍ଡନ କରି ଯେଉଁ ତିନୋଟି ପୁତ୍ରସନ୍ତାନ ସଂସାରକୁ ଆସିଥିଲେ ସେମାନେ ହେଲେ ରଘୁନାଥ (ଜନ୍ମ-୧୯୧୬), ଲୋକନାଥ (ଜନ୍ମ-୧୯୨୨) ଓ ରଙ୍ଗନାଥ (୧୯୨୬)। ଏଥି ମଧ୍ୟରୁ ସାନପୁଅ ରଙ୍ଗନାଥ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ।
ରଙ୍ଗନାଥ ମିଶ୍ରଙ୍କ ପରେ ନ୍ୟାୟମୂର୍ତ୍ତି ଗୋପାଳବଲ୍ଲଭ ପଟ୍ଟନାୟକ ଦ୍ଵିତୀୟ ଓଡ଼ିଆ ହିସାବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ତାଙ୍କ ପରେ ଗତ ୨୦୧୭ ମସିହା ଅଗଷ୍ଟ ୨୮ରେ ତୃତୀୟ ଓଡ଼ିଆ ହିସାବରେ ଦେଶର ୪୫ତମ ପ୍ରଧାନ ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର। ସଂଯୋଗକ୍ରମେ ସେ ମଧ୍ୟ ପଣ୍ଡିତ ଗୋଦାବରୀଶଙ୍କ ପରିବାରର ଦାୟାଦ। ଗୋଦାବରୀଶଙ୍କ ବଡ଼ପୁଅ ରଘୁନାଥ ମିଶ୍ର ଓ ବୋହୂ ଚଞ୍ଚଳା ଦେବୀଙ୍କ ପୁତ୍ର ଦୀପକ ଜନ୍ମ ନେଇଥିଲେ ୧୯୫୩ ମସିହାର ଅକ୍ଟୋବର ୩ ତାରିଖରେ।
ପଣ୍ଡିତ ଗୋଦାବରୀଶଙ୍କ ଅନ୍ୟ ଦୁଇପୁଅ ଲୋକନାଥ ଓ ରଙ୍ଗନାଥଙ୍କ ତୁଳନାରେ ବଡ଼ପୁଅ ରଘୁନାଥ ମିଶ୍ରଙ୍କ ବିଷୟରେ ଲୋକେ କମ୍ ଆଲୋଚନା କରନ୍ତି। କାରଣ ତାଙ୍କର କାର୍ଯ୍ୟକ୍ଷେତ୍ର ମୁଖ୍ୟତଃ ବାଣପୁରରେ ସୀମିତ ଥିଲା। ଶିକ୍ଷକତା ବୃତ୍ତି ଗ୍ରହଣ କରିଥିବା ରଘୁନାଥ ବଡ଼ପୁଅ ହିସାବରେ ପରିବାର ଦାୟିତ୍ଵରେ ବାନ୍ଧିହୋଇ ବାଣପୁରରେ ହିଁ ରହିଯାଇଥିଲେ। ମାତ୍ର ସେ ମଧ୍ୟ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବାପା ଗୋଦାବରୀଶଙ୍କ ମୃତ୍ୟୁ ପରେ ସେ ତାଙ୍କର ନିର୍ବାଚନ କ୍ଷେତ୍ର ବାଣପୁରରୁ ୧୯୬୧ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କବି ସଚ୍ଚିରାଉତରାୟଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୭ରେ ଅନୁଷ୍ଠିତ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ସେ ପୁଣିଥରେ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ। ଏଥର ତାଙ୍କର ପ୍ରତିଦ୍ଵନ୍ଦ୍ୱୀ ଥିଲେ ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର ପ୍ରହରାଜ।
ବାଣପୁରଠାରେ ପ୍ରତିଷ୍ଠିତ ଗୋଦାବରୀଶ ବିଦ୍ୟାପୀଠ ଓ ଗୋଦାବରୀଶ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି। ତା’ଛଡ଼ା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଅନେକଗୁଡ଼ିଏ ପାଠ୍ୟପୁସ୍ତକ ମଧ୍ୟ ପ୍ରଣୟନ କରିଯାଇଛନ୍ତି। ପଣ୍ଡିତ ଗୋଦାବରୀଶଙ୍କ ଦ୍ଵାରା ରଚିତ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ ସନ୍ନିବେଶିତ ‘ଦୁଇ-ଚାରି-କଥା’ ଭୂମିକାଟି ତାଙ୍କର ରଚନା।
ସୁପ୍ରିମକୋର୍ଟର ଦୁଇ ଦୁଇଜଣ ପ୍ରଧାନ ବିଚାରପତି ଗୋଟିଏ ପରିବାରରୁ ଆସିବା ଏବଂ ସେମାନଙ୍କର ବାପା ଦୁଇ ଦୁଇଥର ବିଧାୟକ ରହିବାର ଏଭଳି ଅନନ୍ୟ ଉଦାହରଣ କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ।