ପାକ୍ ବର୍ବରତାର ଜବାବ: ପିଓକେରେ ପଶିଲା ଭାରତୀୟ ସେନା, ୫ ପାକ୍ ସୈନିକ ନିପାତ
ପୁଂଚ ଓ ରାଜୌରିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ
ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଭାରତୀୟ ସେନା କମାଣ୍ଡୋଙ୍କ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାକ୍ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି। ଶନିବାର ପାକିସ୍ତାନ ବ୍ୟାଟ୍ (ବୋର୍ଡର ଆକ୍ସନ ଟିମ୍)ର କାପୁରୁଷୋଚିତ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତୀୟ ସେନ। ରାଜୌରି ଓ ପୁଞ୍ଚ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ୩ ଜଣ ପାକ୍ ସୈନିକଙ୍କୁ ଗତକାଲି ସନ୍ଧ୍ୟାରେ ନିପାତ କରିଥିବା ବେଳେ ଦୁଇ ଦିନ ଭିତରେ ୫ ପାକ୍ ସୈନିକ ନିପାତ ହୋଇଥିବା ସେନା ପ୍ରବକ୍ତା କହିଛନ୍ତି । ନିହତଙ୍କ ମଧ୍ୟରେ ୨ ଜଣ ସ୍ନାଇପର ଥିବା ଭାରତୀୟ ସେନା ସ୍ପଷ୍ଟ କରିଛି। ଗତକାଲି ସନ୍ଧ୍ୟା ୬ଟାରେ ପୁଞ୍ଚ ନିୟନ୍ତ୍ରଣ ରେଖା ଅଂଚଳରେ ଆରମ୍ଭ ହୋଇଥିବା ଏହି ଅପରେସନ ୪୫ ମିନିଟ୍ ଧରି ଚାଲିଥିଲା ଏବଂ ଏହାକୁ ଭାରତର ଦ୍ୱିତୀୟ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି ମଧ୍ୟ କୁହାଯାଉଛି । ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ଟି ପାକ୍ ପୋଷ୍ଟ୍ ଛାରଖାର ହୋଇଥିବା ବେଳେ ଭାରତୀୟ ସେନା ସଫଳତାର ସହ ଏହି ଅପରେସନ ଶେଷ କରିଥିବା ଘୋଷଣା କରିଛି। ପିଓକେରେ ଥିବା ଅନେକ କ୍ୟାମ୍ପ୍ରୁ ଆତଙ୍କବାଦୀ ଛତ୍ରଭଂଗ ଦେଇଥିବା ମଧ୍ୟ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ପାକିସ୍ତାନ ବ୍ୟାଟ୍ ଟିମ୍ ରାଜୌରି ସେକ୍ଟରରେ ଅତର୍କିତ ଆକ୍ରମଣ କରି ଭାରତୀୟ ସେନାର ୪ ଯବାନଙ୍କୁ ହତ୍ୟା କରିବା ପରେ ଭାରତର ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଆଜି ପୁଞ୍ଚ ଓ ରାଜୌରିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ ପାକ୍ ସେନାର ଯୋଜନାକୁ ଭାରତ ପଣ୍ଡ କରିଦେଇଛି। ପାକ୍ ଆତଙ୍କବାଦୀଙ୍କ ୩ଟି ପ୍ରବେଶ ପଥକୁ ଠାବ କରାଯିବା ପରେ ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି। ପାକିସ୍ତାନ ସେନା ଅନୁପ୍ରବେଶ ପାଇଁ ଯୁଦ୍ଧସ୍ତରରେ ଉଦ୍ୟମ ଚଳାଇଥିବାରୁ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ସ୍ୟାଟେଲାଇନ୍ ମାଧ୍ୟମରେ ସ୍ଥିତି ନେଇ ଅହରହ ନଜର ରଖାଯାଉଛି । ଶନିବାର ପାକିସ୍ତାନ ବ୍ୟାଟ୍ ଟିମ୍ର ଅତର୍କିତ ଆକ୍ରମଣରେ ଭାରତୀୟ ସେନାର ଜଣେ ମେଜର ଓ ୩ ଜଣ ଯବାନ ସହିଦ ହୋଇଯାଇଥିଲେ। ଗତକାଲି ଭାରତୀୟ ସେନା ପୁଂଜ ସେକ୍ଟର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ସୀମା ଭିତରେ ସସି ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାରୁ ଏଥିରେ ବେଲୁଚ ରେଜିମେଣ୍ଟ୍ର ୩ ପାକ୍ ସୈନିକ ନିହତ ହୋଇଥିଲେ। ଏହା ସହିତ ରାଜୌରିରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨ ଜଣ ସ୍ନାଇପର ନିପାତ ହୋଇଥିବା ଜଣାପଡ଼ିଛି । ପାକିସ୍ତାନୀ ରେଞ୍ଜର୍ସ ଅନେକ ସ୍ଥାନରେ ପୋଷ୍ଟ୍ ଛାଡ଼ି ଛତ୍ରଭଂଗ ଦେଇଥିବା ବେଳେ ଏବେ ଭାରତୀୟ ଅଂଚଳକୁ ଭାରୀ ଯୁଦ୍ଧାସ୍ତ୍ରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଭାରତ ମଧ୍ୟ ସମାନ ଅସ୍ତ୍ରରେ ଏହାର କଡ଼ା ଜବାବ ଦେବାକୁ ତୟାର ରହିଛି ।
ଉଭୟ ପଟୁ ଗୁଳିବର୍ଷାରେ ସୀମାନ୍ତ ଅଞ୍ଚଳରେ ପୁଣି ଆତଙ୍କ ସୃଷ୍ଟି ହୋଇଛି । ପାକ୍ ରେଞ୍ଜର୍ସମାନେ ପୁଞ୍ଚ ଜିଲ୍ଲାରେ ଭାରତୀୟ ପୋଷ୍ଟ ଓ ସୀମାନ୍ତ ଗ୍ରାମଗୁଡ଼ିିକୁ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରୁଥିବାରୁ ଭାରତ ମଧ୍ୟ ୩୦ରୁ ଅଧିକ ସ୍ଥାନରେ ପାକିସ୍ତାନକୁ ଟାର୍ଗେଟ୍୍ କରିଛି। ଏଲ୍ଓସିଠାରୁ ୨ କିମି ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ପାକିସ୍ତାନ ଟାର୍ଗେଟ୍ କରିଥିବାରୁ ଲୋକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ଗତ ଶନିବାର ଦିନ ପାକ୍ ସେନାର ଆକ୍ରମଣରେ ଭାରତୀୟ ସେନାର ମେଜର ପ୍ରଫୁଲ୍ଲ ଅମ୍ବାଦାସ, ଲାନ୍୍ସ ନାୟକ ଗୁରମେଲ୍୍ ସିଂହ, ସିପାହି ପ୍ରଗତ ସିଂହ ଓ ଅନ୍ୟ ଜଣେ ସେନା ସହାୟକ ସହିଦ ହୋଇଯାଇଥିଲେ।