କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଶ୍ୱରପ୍ପାଙ୍କ ବିବାଦୀୟ ମନ୍ତବ୍ୟ: ମୁସଲମାନଙ୍କୁ ଟିକେଟ ଦେବ ନାହିଁ ବିଜେପି

ବେଙ୍ଗାଲୁରୁ: ଦଳରେ ବିଶ୍ୱାସ କରୁ ନ ଥିବାରୁ ମୁସଲମାନମାନଙ୍କୁ ତାଙ୍କ ଦଳ ଟିକେଟ୍‌ ଦେବ ନାହିଁ ବୋଲି କହିଛନ୍ତି ବରିଷ୍ଠ କର୍ଣ୍ଣାଟକ ବିଜେପି ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ ଏସ୍‌ ଏଶ୍ୱରପ୍ପା।

କୋପ୍ପାଲ ଠାରେ ସୋମବାର ଦିନ ଏଶ୍ୱରପ୍ପା କହିଛନ୍ତି: ଆମେ ଦେବୁ ନାହିଁ… କର୍ଣ୍ଣାଟକରେ ଆମେ ମୁସଲମାନମାନଙ୍କୁ ଟିକେଟ ଦେବୁ ନାହିଁ। କାହିଁକି? କାରଣ ତୁମେ ଆମକୁ ବିଶ୍ୱାସ କର ନାହିଁ। ଯଦି ତୁମେ ଆମକୁ ବିଶ୍ୱାସ କର ଏବଂ ଭୋଟ ଦିଅ, ଯଦି ତୁମେ ଆମକୁ ବୁଝିପାରିବ, ତେବେ ଦେଖିବା।

କଂଗ୍ରେସ୍‌ ପାର୍ଟି ହିଁ ମୁସଲମାନମାନଙ୍କୁ ଭୋଟ୍‌ ବ୍ୟାଙ୍କ୍‌ ଭାବେ ବ୍ୟବହାର କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଯାହାହେଉ କୁରୁବା ସମ୍ପ୍ରଦାୟର ସେ ବରିଷ୍ଠ ନେତା ମଙ୍ଗଳବାର ଦିନ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ ମୁସଲମାନଙ୍କ ସମେତ ଅନ୍ୟ କୌଣସି ସମ୍ପ୍ରଦାୟକୁ ସେ ଘୃଣା କରନ୍ତି ନାହିଁ। ଇକ୍‌ବାଲ୍‌ ଅନ୍‌ସାରି ନାମଧାରୀ ଜିଲ୍ଲାର ଜଣେ ରାଜନେତା ବିଜେପିରୁ ଟିକେଟ ପାଇବା ପ୍ରସଙ୍ଗରେ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ସେ ଏ ଭଳି ବିବୃତ୍ତି ଦେଇଥିଲେ।

ଏଶ୍ୱରପ୍ପା ଟୁଇଟ୍‌ କରିଛନ୍ତି: ନୂଆ ବ୍ୟକ୍ତି ଯୋଗ ଦେଲେ ତାଙ୍କୁ କୌଣସି ପଦବୀ ଦିଆଯାଏ ନାହିଁ, ତାଙ୍କୁ କଠିନ ପରିଶ୍ରମ କରି ପଦବୀ ହାସଲ କରିବାକୁ ପଡ଼େ। ସେହି ପରିପ୍ରେକ୍ଷୀରେ ମୁଁ ଇକ୍‌ବାଲ ଅନ୍‌ସାରିଙ୍କ କଥା ଉଲ୍ଲେଖ କରିଥିଲି।

ସମ୍ବନ୍ଧିତ ଖବର