ଧରାପଡ଼ିଲା ଆଉ ଏକ କର୍ପୋରେଟ୍‌ ହସପିଟାଲର କାରନାମା

ଡେଙ୍ଗୁରେ ମୃତ ବାଳିକା ପାଇଁ ୧୬ ଲକ୍ଷ ଟଙ୍କାର ବିଲ୍‌ ପଠାଇଲା ଫୋର୍ଟିସ୍‌

ଗୁରୁଗ୍ରାମ : ନୂଆଦିଲ୍ଲୀର ମାକ୍ସ ହସପିଟାଲ୍‌ରେ ନବଜାତ ଶିଶୁପ୍ରତି ଅବହେଳା ଘଟଣା ପରି ଆଉ ଏକ ଘଟଣା ସାମନାକୁ ଆସିଛି । ଏଥର ଅଭିଯୋଗଟି ରହିଛି ଦେଶର ପ୍ରମୁଖ କର୍ପୋରେଟ୍‌ ହସପିଟାଲ ଫୋର୍ଟିସ୍‌ ବିରୁଦ୍ଧରେ । ଗୁରୁଗ୍ରାମରେ ଅବସ୍ଥିତ ଏହି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ୭ ବର୍ଷୀୟ ବାଳିକା ଆଦ୍ୟା ସିଂ ମାମଲାର ତଦନ୍ତ ରିପୋର୍ଟରେ ଅନେକ ଚମକପ୍ରଦ ତଥ୍ୟ ସାମନାକୁ ଆସିଛି । 

ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ତଦନ୍ତରୁ ଜଣାପଡିଛି ଯେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଆଦ୍ୟା ଫୋର୍ଟିସ ହସପିଟାଲରେ ମୃତ୍ୟୁବରଣ କରିଥିଲା । କିନ୍ତୁ ସେ ମରିବା ପରେ ହସପିଟାଲ ତରଫରୁ ତାର ପିତାମାତାଙ୍କୁ ପ୍ରାୟ ୧୬ ଲକ୍ଷ ଟଙ୍କାର ବିଲ୍‌ ପୈଠ ପାଇଁ କୁହାଯାଇଥିଲା, ଯାହାକି ଏହି ଧରଣର ଚିକିତ୍ସା ଲାଗି ଆବଶ୍ୟକ ସ୍ୱାଭାବିକ ଦେୟଠାରୁ ପ୍ରାୟ ୭୦୦ ଗୁଣ ଅଧିକ । ତଦନ୍ତରୁ ଆହୁରି ମଧ୍ୟ ଜଣାପଡିଛି ଯେ ହସପିଟାଲ ପକ୍ଷରୁ ଔଷଧ ବାବଦ ବ୍ୟୟକୁ ୧୦୮ ପ୍ରତିଶତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟୟକୁ ୭୦୦ ଗୁଣ ବଢାଇ ଦର କଷାଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ଏତେ ବଡ଼ ପରିମାଣର ବିଲ୍‌ ଦେଖି ତାହାର ଅଭିଭାବକଙ୍କ ହୋସ ଉଡିଯାଇଥିଲା ।

ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ହେବା ପରେ ହରିୟାଣା ସରକାର ଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମାମଲା କ୍ରମେ ଗୁରୁତର ଆକାର ଗ୍ରହଣ କରୁଥିବା ଦେଖି ହସପିଟାଲ କର୍ତ୍ତୃପକ୍ଷ ପୀଡିତାର ପିତା ଜୟନ୍ତ ସିଂଙ୍କୁ ଉକ୍ତ ଅର୍ଥ ଫେରାଇବାକୁ ପ୍ରସ୍ତାବ ଦେବା ସହ ଆଉ ୨୫ ଲକ୍ଷ ଟଙ୍କା ଯାଚିଥିବା ସେ ଅଭିଯୋଗ କରିଛନ୍ତି । କିନ୍ତୁ ହସପିଟାଲ ପରିଚାଳନା ପକ୍ଷରୁ ଏହି ଅଭିଯୋଗକୁ ଅସ୍ୱୀକାର କରାଯାଇଛି ।

ସମ୍ବନ୍ଧିତ ଖବର