ଏକାମ୍ର ମହାସମର; ମହତାବ ବନାମ ବିଜୁ

ଭୋଟ ପେଡ଼ିର ପୁରୁଣା କଥା-୨୯ / ସ୍ବରାଜ ମିଶ୍ର

ହରପାର୍ବତୀ ଆକାଶ ପଥରେ ଉଡ଼ି ଯାଉଯାଉ ଛାୟାପ୍ରଦ ଆମ୍ବଗଛଟିଏ ଦେଖି ଯେଉଁ ରମଣୀୟ ସ୍ଥାନରେ ଓହ୍ଲାଇ ପଡ଼ିଥିଲେ, ତାହା ଆଜି ଏକାମ୍ରକ୍ଷେତ୍ର ନାମରେ ପରିଚିତ ବୋଲି ପୌରାଣିକ କିଂବଦନ୍ତୀ କହେ। ଏହି ପ୍ରସିଦ୍ଧ ଶୈବପୀଠ, ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ପରବର୍ତ୍ତୀ କାଳରେ ଆଧୁନିକ ଓଡ଼ିଶାର ରାଜଧାନୀ ହେଲା। ଏହିଠାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଇତିହାସର ଏକ ଅଭୂତପୂର୍ବ ନିର୍ବାଚନ ମହାସମର, ୧୯୭୧ରେ। ସେଥିରେ ମୁହାଁମୁହିଁ ଲଢ଼ିଥିଲେ ଓଡ଼ିଶା ରାଜନୀତିର ଦୁଇ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ଡକ୍ଟର ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ।
ଭୁବନେଶ୍ୱର ସହରକୁ ଓଡ଼ିଶାର ରାଜଧାନୀ କରିବାରେ ଡକ୍ଟର ମହତାବ ହିଁ ମୁଖ୍ୟ ଭୂମିକା ନେଇଥିଲେ ଏବଂ ଏହି ଅଞ୍ଚଳରେ ତାଙ୍କର ବେଶ୍‌ ରାଜନୈତିକ ପ୍ରଭାବ ଥିଲା। ୧୯୬୭ ମସିହା ନିର୍ବାଚନରେ ସେ ଭୁବନେଶ୍ୱର ଓ ବାସୁଦେବପୁର ଦୁଇଟି ଆସନରୁ ଲଢ଼ି ଉଭୟ ସ୍ଥାନରେ ବିଜୟୀ ହୋଇଥିଲେ। ପରେ ସେ ଭୁବନେଶ୍ୱର ଆସନରୁ ଇସ୍ତଫା ଦେବାରୁ ତାଙ୍କର ପନୀ ସୁଭଦ୍ରା ମହତାବ ଏଠାରୁ ବିଜୟୀ ହେଲେ। ଏଣୁ ୧୯୭୧ରେ ଏହି ନିର୍ବାଚନମଣ୍ଡଳୀକୁ ପୁଣିଥରେ ବାଛିନେବା ତାଙ୍କ ପାଇଁ ସ୍ୱାଭାବିକ ଥିଲା।

ଅନ୍ୟ ପକ୍ଷରେ ବିଜୁ ପଟ୍ଟନାୟକ କଂଗ୍ରେସ ଦଳରୁ ବାହାରିଆସି ନୂଆକରି ଗଢ଼ିଥାଆନ୍ତି ତାଙ୍କର ‘ଉତ୍କଳ କଂଗ୍ରେସ’ ଦଳ। ଏହି ଦଳ ତରଫରୁ ଓଡ଼ିଶାର ସମସ୍ତ ନିର୍ବାଚନମଣ୍ଡଳୀରେ ଯୋଗ୍ୟ ପ୍ରାର୍ଥୀ ଦେଇ ସେ ନିର୍ବାଚନ ଜିଣିବାକୁ ଚାହୁଁଥାନ୍ତି। ଯେକୌଣସି ଆହ୍ଵାନକୁ ପ୍ରବଳ ଆତ୍ମବିଶ୍ୱାସର ସହ ସାମ୍ନା କରିବା ଥିଲା ତାଙ୍କର ଚରିତ୍ର। ପୁର୍ବରୁ ସେ ଜଗନ୍ନାଥପ୍ରସାଦ, ସୋରଡ଼ା ଓ ଚୌଦ୍ଵାର ଆଦି ନିର୍ବାଚନମଣ୍ଡଳୀରୁ ଜିଣିଥିଲେ ମଧ୍ୟ ଭୁବନେଶ୍ୱରରେ କେବେ ବି ଲଢ଼ିନଥିଲେ। ତେଣୁ ସେ ଭୁବନେଶ୍ୱରରେ ମହତାବଙ୍କୁ ସିଧାସଳଖ ସାମ୍ନା କରିବା କଥାଟିକୁ ଅନେକେ ସେ ସମୟରେ ବିଶ୍ୱାସ କରିପାରିନଥିଲେ।

ବିଜୁବାବୁଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ନୀଳମଣି ରାଉତରାୟ ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ସ୍ମୁତି ଓ ଅନୁଭୂତି’ରେ ଲେଖିଛନ୍ତି, ‘‘ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ମହତାବଙ୍କ ବିରୁଦ୍ଧରେ ଉତ୍କଳ କଂଗ୍ରେସ ପକ୍ଷରୁ ଶ୍ରୀ ଶଶିଭୂଷଣ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ କେତେକ ବନ୍ଧୁଙ୍କ ପ୍ରରୋଚନାରେ ବିଜୁବାବୁ ନିଜେ ସେଠାରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।’’ ସେତେବେଳେ ସାରା ଦେଶରେ କଂଗ୍ରେସ ଦଳ ସପକ୍ଷରେ ନିର୍ବାଚନୀ ହାୱା ବହୁଥିବା ସମୟରେ ବିଜୁବାବୁ ନିଜ ବ୍ୟକ୍ତିଗତ ଲୋକପ୍ରିୟତା ଉପରେ ଭରସା ରଖି ମହତାବଙ୍କ ବିରୋଧରେ ନିର୍ବାଚନୀ ଯୁଦ୍ଧକୁ ଓହ୍ଲାଇପଡ଼ିଥିଲେ। ଫଳରେ ଭୁବନେଶ୍ୱରବାସୀ ଦେଖିଲେ ଓଡ଼ିଶା ରାଜନୀତିର ଦୁଇ ମହାରଥିଙ୍କ ମଧ୍ୟରେ ସମ୍ମୁଖସମର।
ଏହି ନିର୍ବାଚନର ଫଳାଫଳକୁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥାନ୍ତି। ମହତାବ ଓ ବିଜୁବାବୁଙ୍କ ଛଡ଼ା ଭୁବନେଶ୍ୱର ନିର୍ବାଚନ ମଇଦାନରେ ଥିଲେ ଆହୁରି ପାଞ୍ଚଜଣ ପ୍ରତିଦ୍ଵନ୍ଦ୍ୱୀ। ସିପିଆଇର ରାମକୃଷ୍ଣ ପତି, ଫରଓ୍ଵାର୍ଡ଼ ବ୍ଲକ୍‌ର ସଦାଶିବ ନନ୍ଦ, ସ୍ୱତନ୍ତ୍ର ପାର୍ଟିର ପ୍ରାଣନାଥ ମହାନ୍ତିଏବଂ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର କର ଓ କୈଳାସ ଚନ୍ଦ୍ର ବଡ଼ୁ। ମାତ୍ର ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଶେଷରେ ଡକ୍ଟର ହରେକୃଷ୍ଣ ମହତାବ ବିଜୟୀ ହେଲେ। ମୋଟ ୪୬୨୧୨ ବୈଧ ଭୋଟ ମଧ୍ୟରୁ ସେ ୨୦୨୭୪ ଖଣ୍ଡ ଭୋଟପାଇଥିବାବେଳେ ବିଜୁବାବୁ ପାଇଥିଲେ ୧୪୬୯୭ ଖଣ୍ଡ ଭୋଟ।

ହରେକୃଷ୍ଣ ମହତାବ ଏ ଲଢ଼େଇର ପ୍ରଥମ ପର୍ଯ୍ୟାୟ ଜିତିଯାଇଥିଲେ ମଧ୍ୟ ତାଙ୍କ ପାଇଁ ବିଧାନସଭା ଗୃହ ଭିତରେ ଏ ଯୁଦ୍ଧର ଦ୍ଵିତୀୟ ପର୍ଯ୍ୟାୟ ଅପେକ୍ଷା କରି ରହିଥିଲା। ଏହି ନିର୍ବାଚନରେ କଂଗ୍ରେସ ଦଳ ୧୪୦ଟି ଆସନରୁ ୫୧ଟି ଆସନ ଜିଣିଥିବାରୁ ସରକାର ଗଢ଼ିବା ପରିସ୍ଥିତରେ ନଥିଲା। ଫଳରେ ସ୍ୱତନ୍ତ୍ର ପାର୍ଟି (୩୬), ଉତ୍କଳ କଂଗ୍ରେସ (୩୩) ଓ ଝାଡ଼ଖଣ୍ଡ ଦଳ (୪) ମିଶି ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ, ଯାହାର ନେତୃତ୍ଵ ନେଇଥିଲେ ବର୍ଷୀୟାନ ନେତା ବିଶ୍ୱନାଥ ଦାସ।

୧୯୭୧ ଏକାମ୍ର ମହାସମରର ପ୍ରଥମ ଅଙ୍କରେ ବିଜୁବାବୁ ପରାଜିତ ହୋଇଥିଲେ ସତ, ମାତ୍ର ମହତାବଙ୍କୁ ସରକାର ଗଢ଼ିବାକୁ ନଦେଇ ସେ ନିର୍ଣ୍ଣାୟକ ଶେଷ ଅଙ୍କଟି ଜିତି ନେଇଥିଲେ।

ସମ୍ବନ୍ଧିତ ଖବର