ସ୍କୁଲ୍ରେ ନାଁ ଲେଖାଇବାକୁ ଆସିଥିବା ପ୍ରଥମ ୧୦ ଜଣ ପିଲାଙ୍କୁ ୧ ଗ୍ରାମ୍ର ସ୍ୱର୍ଣ୍ଣମୁଦ୍ରା, ୫ ହଜାର ଟଙ୍କା ଏବଂ ୨ ହଳ ୟୁନିଫର୍ମ
କୋଇମ୍ବାଟୁର୍: ଅନ୍ନୁର ନିକଟବର୍ତ୍ତୀ କୋନରପାଲାୟାମ ଗ୍ରାମବାସୀମାନେ ସେଠାକାର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖା ବୃଦ୍ଧି ପାଇଁ ଗୋଟାଏ ଅଭିନବ ଉପାୟ କରିଛନ୍ତି। ନାଁ ଲେଖାଇବାକୁ ଆସିଥିବା ପ୍ରଥମ ୧୦ ଜଣ ପିଲାଙ୍କୁ ସେମାନେ ଦେଉଛନ୍ତି ୧ ଗ୍ରାମ୍ର ସ୍ୱର୍ଣ୍ଣମୁଦ୍ରା, ୫ ହଜାର ଟଙ୍କା ଏବଂ ୨ ହଳ ୟୁନିଫର୍ମ।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କର ଉଦ୍ୟମର ସୁଫଳ ମଧ୍ୟ ସଙ୍ଗେ ସଙ୍ଗେ ମିଳିଛି। ପ୍ରଧାନ ଶିକ୍ଷକ ରାଜେଶ ଚନ୍ଦ୍ରକୁମାର ଓ୍ଵାଇ କହନ୍ତି: ତିନି ଜଣ ପିଲା ସ୍କୁଲ୍ରେ ନାଁ ଲେଖାଇଛନ୍ତି। ଆଉ ତିନି ଜଣ ପିଲା ନାଁ ଲେଖାଇବାକୁ ଆଗ୍ରହୀ ଅଛନ୍ତି।
ଫସଲ ନ ହେବାରୁ ଏହି କୃଷିନିର୍ଭରଶୀଳ ଗାଁ’ର ଲୋକେ ଆଖପାଖ ଅଞ୍ଚଳକୁ ଉଠି ଯିବାରୁ ୧୬୫ ପିଲାଙ୍କୁ ନେଇ ୧୯୯୬ ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲ୍ରେ ଆଉ ପିଲା ନାଁ ଲେଖାଉ ନ ଥିଲେ। ୧୦୯୦ ଦଶନ୍ଧିର ଶେଷ ଆଡ଼କୁ ସେ ସ୍କୁଲ୍ର ପିଲା ସଂଖ୍ୟା ଥିଲା ୧୦। ଇଂରାଜି ମାଧ୍ୟମ ସ୍କୁଲ୍ର ଚାହିଦା ବଢ଼ିବାରୁ ଗତ ଦଶନ୍ଧିରେ ପିଲାସଂଖ୍ୟା ଥିଲେ ୫ ଜଣ।
ପ୍ରଧାନ ଶିକ୍ଷକ କହନ୍ତି: ପାଞ୍ଚ ବର୍ଷ ତଳେ ମୁଁ ଯୋଗ ଦେବା ବେଳେ କଷ୍ଟେମଷ୍ଟେ ୬ ଜଣ ପିଲା ଯୋଗାଡ଼ କରିଥିଲି। ଗାଁ’ର ଜନସଂଖ୍ୟା ମାତ୍ର ୬୫ ପରିବାରକୁ କମି ଆସିଥିବାରୁ ଆଉ ଅଧିକ କିଛି କରି ହୋଇ ନ ଥିଲା।
ସେହି ସମୟରେ ଶିକ୍ଷକ ଓ ପିଲାମାନଙ୍କୁ ଆଖପାଖ ସ୍କୁଲ୍କୁ ନେଇ ଯାଇ ୧୦ ପିଲାରୁ କମ୍ ଥିବା ସ୍କୁଲ୍ ବନ୍ଦ କରାଇବାକୁ ସ୍ଥିର କଲେ ସରକାର।
ପ୍ରଧାନ ଶିକ୍ଷକ ରାଜେଶ ଗ୍ରାମବାସୀଙ୍କ ବୈଠକ ବସାଇବା ପରେ ଏ ଭଳି ଉପାୟ କରିଥିଲେ। ଗାଁ’ର ବ୍ୟବସାୟୀ ଶେକର ୧ ଗ୍ରାମ୍ ସ୍ୱର୍ଣ୍ଣମୁଦ୍ରା, ଗାଁ ମୁଖିଆ ସେଲବରାଜ ୫ ହଜାର ଟଙ୍କା ଦେବାକୁ ଆଗେଇ ଆସିଲେ। ଏ କଥା ଗ୍ରାମବାସୀଏ ଶିକ୍ଷା ବିଭାଗକୁ କହିବାରୁ ସେମାନେ ସମ୍ମତି ଦେଲେ।
ସ୍କୁଲ୍ ବନ୍ଦ ହେଉ ବୋଲି ଆମେ ଚାହୁଁ ନାହୁଁ। ଆମ ଗାଁ’ରେ ସ୍କୁଲ୍ଟିଏ ରହିବା ଗୌରବର କଥା। କୌଣସି ମତେ ଆମେ ତାକୁ ବଞ୍ଚାଇ ରଖିବୁ ବୋଲି କହନ୍ତି ସେଲବରାଜା।